ମଧୁର ଜଳର କଇଁଛ, ସହ ସହ ସଂଖ୍ୟାରେ ଆସି କୂଳରେ ଅଣ୍ଡା ଦେଲେ । ଅଣ୍ଡାକୁ ସୁରକ୍ଷା ଦେଉଛନ୍ତି ବନବିଭାଗ ସହ ଗ୍ରାମବାସୀ। ଦିନ ରାତି ଚାଲିଛି କଇଁଛ ଅଣ୍ଡା ସୁରକ୍ଷାରେ ପାଟ୍ରୋଲିଂ। ଅଣ୍ଡାଦାନ ଠାରୁ ଆରମ୍ଭକରି ଅଣ୍ଡାରୁ ଛୁଆ ଫିଟି ପାଣିକୁ ଜିବା ପର୍ଯ୍ୟନ୍ତ ଚାଲିବ ପାଟ୍ରୋଲିଂ। ଚିହ୍ନଟ ସ୍ଥାନରେ ବାଲି ଉଠାଣ ଓ ମାଛମାରିବା ସମ୍ପୂର୍ଣ୍ଣ ବାରଣ।
ସାଧାରଣତଃ ସମୁଦ୍ର କୂଳକୁ ଆସି ଅଣ୍ଡା ଦେବାକଥା ଆମେ ସମସ୍ତେ ପ୍ରାୟ ଜାଣିଛେ। କିନ୍ତୁ ମଧୁର ଜଳରୁ କଇଁଛ କୂଳକୁ ଆସି ଅଣ୍ଡାଦାନ କଥା ପ୍ରାୟ କମ ଲୋକେ ଜାଣିଥିବେ। ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀର ମଧୁର ଜଳରେ ସହ ସହ ସଂଖ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଢେଙ୍କାନାଳ ବନଖଣ୍ଡର ଦୁଇଟି ରେଞ୍ଜ , ଷଡ଼ଙ୍ଗୀ ରେଞ୍ଜ ଓ ଭୁବନ ରେଞ୍ଜରେ ବ୍ରାହ୍ମଣୀ ନଦୀ କୂଳରେ ଦୁଇଟ ସ୍ଥାନରେ ଅଣ୍ଡାଦାନ କରନ୍ତି କଇଁଛ ମାନେ। ପ୍ରତ୍ୟେକ ନଭେମ୍ବର ମାସ ଠାରୁ କଇଁଛ ମାନେ କୂଳକୁ ଆସି ଅଣ୍ଡାଦାନ ଆରମ୍ଭ କରନ୍ତି ଏବଂ ପ୍ରାୟ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଅଣ୍ଡାରୁ ଛୁଆଫିଟି ପାଣିକୁ ଯାଆନ୍ତି।
ଢେଙ୍କାନାଳ ଜିଲ୍ଲାର ନଦୀ କୂଳରେ ଥିବା ରାଙ୍କିଆ ଗ୍ରାମ ଠାରୁ ବୁଢିବିଲି ପର୍ଯ୍ୟନ୍ତ ପ୍ରାୟ ୬ ଟି ଗାଁରେ ଏହି ସମୟରେ ନଦୀ କୂଳକୁ ପ୍ରାୟତଃ ଯିବା ଆସିବାରେ ବାରଣ ଥାଏ ଏବଂ ଯେଉଁ ଅସାଧୁ ଲୋକେ ନଦୀରେ ଡିନାମାଇଟ ଫୁଟାଇ ମାଛ ମାରନ୍ତି ଓ ସେହି ସ୍ଥାନରୁ ବାଲି ଉଠାନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଏ। ନଭେମ୍ବର ମାସ ପ୍ରଥମ ସପ୍ତାହରୁ ବନବିଭାଗ ଏହି କଇଁଛ ସୁରକ୍ଷାରେ ଲାଗି ପଡିଥାଆନ୍ତି। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ନିଯୁକ୍ତି ହେବା ସହ ଗ୍ରାମବାସୀ ମାନେ ମଧ୍ୟ ଏଥିରେ ସହଯୋଗ କରନ୍ତି।
ରାତିରେ ବନବିଭାଗର ପାଟ୍ରୋଲିଂ ଗାଡି ମଧ୍ୟ ନିୟମିତ ଯାଇ ପେଟ୍ରୋଲିଂ କରୁଛନ୍ତି। ଏଠାକୁ ୬ ଟି ପ୍ରଜାତିର କଇଁଛ ଯଥା , କାବେରୀ,ମୟୁରଚୁଳିଆ,ଅମୁହା,କାମୁଡା ,ଦେଉଳି ଆଦି କଇଁଛ କୂଳକୁ ଆସି ଅଣ୍ଡା ଦେଇଥାଆନ୍ତି। ପ୍ରତ୍ୟକ କଇଁଛ ୧୫ ରୁ ୨୦ଟି ଲେଖାଏଁ ଅଣ୍ଡା ଦେଇଥାଆନ୍ତି। ଷଡ଼ଙ୍ଗୀ ରେଞ୍ଜର ନୁଆପଡା ଠାରୁ ଭୁଇଁପୁର ପର୍ଯ୍ୟନ୍ତ ଓ ଭୁବନ ରେଞ୍ଜ ରାଙ୍କିଆ ଠାରୁ ବୁଢିବିଲି ପଯ୍ୟନ୍ତ ପ୍ରାୟ ଦୁଇହଜାର କଇଁଛ କୂଳକୁ ଆସି ନଦୀ ବାଲିରେ ଆଣ୍ଡାଦାନ କରି ଫେରିଯାଆନ୍ତି। ତେଣୁ ଅଣ୍ଡା ସୁରକ୍ଷାରେ ନିୟୋଜିତ କର୍ମଚାରି ମାନେ ନଦୀ ବାଲିରେ କଇଁଛ ର ପାଦ ଚିହ୍ନର ପିଛା କରି ଅଣ୍ଡାଦାନ ସ୍ଥାନଗୁଡିକ ଚିହ୍ନଟ କରନ୍ତି । ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ କଇଁଛ କୁଳକୁ ଆସି ଅଣ୍ଡାଦାନ କରୁଥିବାର ଦେଖିବାକୁ ମିଳିଛି। ଏଥିପାଇଁ ବନବିଭାଗ ସମ୍ପୁଣ୍ଣଭାବେ ସଜାଗ ହୋଇ ଅଣ୍ଡାର ସୁରକ୍ଷାରେ ଲାଗିଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ।