ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା ।୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳ ବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ ନିକଟରେ ସାପୁଆ ଜଳସେଚନ ଏବଂ ହିନ୍ଦୋଳ ସଦର ଏନଏସି ଅଞ୍ଚଳ ମଧ୍ୟରେ ୱାର୍ଡନଂ-୧୪ ଭୀମଖନ୍ଦା ଠାରେ ବଡଯୋର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସାପୁଆଡ୍ୟାମ କାର୍ଯ୍ୟ ହୋଇଥିଲା ମାତ୍ର ବଡଯୋର ପ୍ରକଳ୍ପ କାଗଜ କଲମରେ ସୀମିତ ରହିଗଲା ।
ଏହି ଦୁଇଟି ପ୍ରକଳ୍ପର ଜଳଭଣ୍ଡାରରୁ ପାଣି ଆସି ନୂଆବଗ ବ୍ୟାରେଜରେ ରଖାଯାଇ ବିଭିନ୍ନ କେନାଲ ମାଧ୍ୟମରେ ପାଣି ଯାଇ ଏଥିରେ ନିର୍ଭରଶିଳ ବଣପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ୩୫ପଂଚାୟତ ଓ ହିନ୍ଦୋଳ ଏନଏସି ର ୭୦%ଚାଷୀ ଉପକୃତ ହୋଇଥାନ୍ତେ । ସେପଟେ ସାପୁଆ ଜଳସେଚନ ପ୍ରକଳ୍ପ ମଧ୍ୟ ଅଧାପାନ୍ତରିଆ ଥିବାବେଳେ କେନାଲ ଗୁଡିକ ସମ୍ପୂର୍ଣ୍ଣ ହେଲାନାହିଁ ବରଂ ଏହାକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦିଆଯାଇ କୋଟିକୋଟି ଟଙ୍କାର ଅନୁଦାନ ଅଣାଯାଇ ଉର୍ନ୍ନତି ନାମରେ ନିମ୍ନମାନର କାମକରି ବାଟମାରାଣ କରାଯାଉଛି ।
ସେହିପରି ୨୦୦୦ରୁ ୨୦୨୪ ମଧ୍ୟରେ ଛଅ ଛଅ ଜଣ ବିଧାୟିକା ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଅଣଦେଖା କରିବାସହ ହିନ୍ଦୋଳ ଏନଏସି ଭୀମଖନ୍ଦା ନିକଟ ବଡ଼ଯୋର ପ୍ରକଳ୍ପ ଆରମ୍ଭ ହୋଇପାରିଲା ନାହିଁ ଯାହାକି ସ୍ଥାନୀୟ ଜନସାଧାରଣ ଓ ଭୋଟରଙ୍କୁ ନିରାଶ କରିଛି ।ହିନ୍ଦୋଳ ଏନଏସି ର ଭୀମଖନ୍ଦା ନିକଟରେ ବଡଯୋରା ପ୍ରକଳ୍ପ ଓ ସାପୁଆ ପ୍ରକଳ୍ପ ସଠିକ ଭାବରେ ହୋଇଥିଲେ ସ୍ଥାନୀୟ ଅଂଚଳର ଚାଷୀ ସମେତ ବେରୋଜଗାର ବେକାର ଯୁବକ ଦାଦନ ଖଟିବାକୁ ବାହାରକୁ ନଯାଇ ଏହିଠାରେ ରୋଜଗାରକ୍ଷମ ହୋଇପାରନ୍ତେ ଏବଂ ଅଞ୍ଚଳ ବିକଶିତ ହୋଇପାରନ୍ତା ବୋଲି ଆଲୋଚନା ହୁଏ ।
ପ୍ରକଳ୍ପ ଆରମ୍ଭ ସମୟରେ ଭୀମଖନ୍ଦା ନିକଟରେ କିଛି ରାସ୍ତା, ଅଫିସ କ୍ଵାଟର ଓ ସାତମାଇଲ ଠାରେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇଥିବା ବେଳେ ତାହା ଏବେ ଭୁତ କୋଠୀର ପରିଣତ ହୋଇଛି । ମାତ୍ର ନିର୍ବାଚିତ ନେତୃତ୍ୱ ମାନଙ୍କର ବୈମାତୃକ ମନୋଭାବ ଯୋଗୁଁ ହିନ୍ଦୋଳ ଏନଏସି ରେ ବଡଯୋରା ଜଳସେଚନ ପ୍ରକଳ୍ପ ଦିବାସ୍ବପ୍ନ ପାଲଟିଛି ।