ପୁଅ ଯେତେବେଳେ ଚାଲି ସିଖିନଥିଲା ସେତେବେଳେ ହାତଧରି ଚାଲି ସିଖେଇଥିଲେ ବାପାମାଆ । ନିଜେ ନଖାଇ ଉପବାସ ରହି ପିଲାଙ୍କୁ ଖୁଆଉଥିଲେ । ନିଜ ସନ୍ତାନ ମୁହଁକୁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲେ । ସେମାନଙ୍କର ସୁଖ ପାଇଁ କେତେ ଦିଅଁ ଦେବତାଙ୍କ ନିକଟରେ ମାନସିକ ରଖି ଉପବାସ ରହୁଥିଲେ । ଆଶା ରଖୁଥିଲେ ସେହି ସନ୍ତାନ ଦିନେ ବୃଦ୍ଧା ବୟସରେ ସାହାରା ହେବେ । କିନ୍ତୁ ଆଜି ପରିଣତ ବୟସରେ ସେମାନଙ୍କର ସବୁ ସ୍ବପ୍ନ ଧୂଳିସାଥ ହୋଇଗଲା । ପୁଅବୋହୁଙ୍କର ସେବା ପାଇବା ବଦଳରେ ମାଡଗାଡି ଖାଇ ଗାଁ ବାହାରେ ରହୁଛନ୍ତି ବୃଦ୍ଧା ବାପାମାଆ ।
ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ବି ନ୍ୟାୟ ପାଇ ପାରୁ ନାହାନ୍ତି ବୃଦ୍ଧା ଦମ୍ପତି । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ । ଗ୍ରାମର ନୃସିଂହ ସେଠୀ, ସ୍ତ୍ରୀ ଇନ୍ଦୁମତୀ ସେଠୀ । ତିନି ପୁଅବହୁଙ୍କୁ ନେଇ ସୁଖଦୁଃଖର ସଂସାର । ତିନି ପୁଅ ଗାଡି ଡ୍ରାଇଭର ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଆଜକୁ ଦଶ ମାସ ହେବ ଯାଗା ବାଡି ଭାଗବଣ୍ଟାକୁ ନେଇ ତିନି ପୁଅବହୁ ମାଡ ମାରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । ତେବେ ପୁଅବହୁଙ୍କ ଅକଥନୀୟ ନିର୍ଯ୍ୟାତନା ସହି ନପାରି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେବି ଅଦ୍ୟାବଧି ନ୍ୟାୟ ମିଳିନଥିବା ବଖାଣିଛନ୍ତି ବୃଦ୍ଧା ଦମ୍ପତି । ଯଦି ନ୍ୟାୟ ନମିଳେ ତେବେ ଆତ୍ମହତ୍ୟାର ଶେଷ ରାସ୍ତା ଆପଣେଇବେ ବୋଲି କହିଛନ୍ତି ବୃଦ୍ଧା ଦମ୍ପତି ।