News
lipub
samparksetu

ଭାଗୀରଥି ସାଗରରୁ ସାତ ଦିନ ଭିତରେ ପଙ୍କମାଟି ନିଷ୍କାସନ ପାଇଁ ଦାବିପତ୍ର

ଭାଗୀରଥି ସାଗର (ନୂଆ ପୋଖରୀ) ଭିତର ପାଖ ହୁଡାରେ ପକାଯାଇଥିବା ପଙ୍କ ମାଟି ସାତ ଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି l ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ୨୦୨୧ ମସିହାଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦଶ ଥର ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ପ୍ରଦାନ କରିଆସୁଛନ୍ତି। ପ୍ରକାଶ ଥାଉକି ସୁପ୍ରିମ କୋର୍ଟ ଏବଂ ଜାତୀୟ ସବୁଜ ପ୍ରାଧିକରଣ (NGT) ଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ଅବସ୍ଥିତ ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା କୌଣସି ପରିସ୍ଥିତିରେ କମାଯିବା ଉଚିତ୍ ନୁହେଁ। ଗତ ୨୦୨୪ ମସିହା ଫେବ୍ରୁଆରୀ ମାସରେ ପୌରପାଳିକା ପ୍ରକୋଷ୍ଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ରାଜ୍ୟ ସହରାଞ୍ଚଳ ବିକାଶ ପକ୍ଷରୁ ଦୁଇ ଜଣ ଅଧିକାରୀ, ଜିଲ୍ଲା ପ୍ରଶାସନ, ପୌରାଧ୍ୟକ୍ଷା, ଉପନଗରପାଳ, ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, ଜିଲ୍ଲା ଓକିଲ ସଂଘ, ସାମ୍ବାଦିକ ସଂଘ, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ, ମିଳିତ ବଜାର ପୂଜା କମିଟି ଏବଂ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୌରପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହି ବୈଠକରେ ଏକ ସଂଯୁକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ “ଭାଗୀରଥି ସାଗର” ରୁ ସମସ୍ତ ପଙ୍କମାଟି ବାହାରକୁ ଯିବ ଏବଂ ପୋଖରୀ ମଧ୍ୟରେ ପଙ୍କମାଟି ରଖାଯିବ ନାହିଁ। ପୌର ପ୍ରଶାସନ ପକ୍ଷରୁ ପୁନଃ ପଙ୍କମାଟିକୁ ପୋଖରୀ ଭିତର ପାଖରେ ଗଦା କରି ଆଉ ଗୋଟିଏ ହୁଡ଼ା କରାଯାଉ ଥିବାରୁ ଗତ ୧୨ଜୁଲାଇ ୨୦୨୪ ଦିନ ଢେଙ୍କାନାଳ ବନ୍ଦର ଆହ୍ୱାନ ଦିଆଯାଇଥିଲା। ଏହାର ସମାଧାନ ପାଇଁ ୧୦ ଜୁଲାଇ ୨୦୨୪ ରେ ଜିଲ୍ଲା ପ୍ରଶାସନ ବୈଠକ ଡାକିଥିଲେ ଏବଂ ତାଲିକାଭୁକ୍ତ ଭାବରେ ପୁନଃ ଆଦେଶ ଜାରି କରିଥିଲେ ଯେ ୧୫ ଦିନ ମଧ୍ୟରେ ସମସ୍ତ ପଙ୍କମାଟି ପୋଖରୀରୁ ବାହାରକୁ ନିଆଯିବ l

ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ, ଏହି ସବୁ ନିଷ୍ପତ୍ତି ଓ ଆଦେଶକୁ ପାଳନ କରାଯାଇନାହିଁ ଏବଂ ଭାଗୀରଥି ସାଗର ପୋଖରୀର ଭିତର ପାଖରେ ୪୦ ରୁ ୫୦ ଫୁଟ ମାଟି ଗଦାଇ ଜଳଧାରଣ କ୍ଷମତାକୁ ହ୍ରାସ କରାଯାଉଛି ଓ ଏହାର ଆକାର ସଙ୍କୁଚିତ ହେଉଛି ବୋଲି ଅଭିଯୋଗ ହେଉଛି l ଆଗାମୀ ୭ ଦିନ ମଧ୍ୟରେ ପୋଖରୀ ମଧ୍ୟରେ ରହିଥିବା ସମସ୍ତ ପଙ୍କମାଟି ବାହାରକୁ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ଅନ୍ୟଥା, ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଏହି ଆନ୍ଦୋଳନକୁ ଅଧିକ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି ।

new life
You might also like
error: Content is protected !!