ରାସ୍ତା ତାର କର୍ମମୟ । ଜୀବନ ତାର ଉତ୍ସର୍ଗୀକୃତ। ଜୀବନ ଟା ତାର ଜଞ୍ଜାଳ ରେ ପରିପୂର୍ଣ। ଆବେଗ ର ପ୍ରତୀକ। ଜୀବନ ତାର ଅନେକ ବାଧାବିଘ୍ନ ର ସମାହାର। ନିଜ ପାଇଁ ଖୋଜିନି କିଛି। ଅଳି ବି କରିନି କେତେବେଳେ।
ତୁଳସୀ ଚଉରା ମୂଳରେ ସଞ୍ଜଵତୀ ଜାଳିବା ବେଳେ ପରିବାର ର ଶୁଭ ମନାସି ଥାଏ କେବଳ। କଣ ସେ ଗୁଣୁଗୁଣୁ ହୋଇ କହେ ତାହା ସେ ହିଁ ଜାଣେ। ମା ବୃନ୍ଦାବତୀ ଜାଣିଥିବେ ବୋଧହୁଏ !
ସକାଳୁ ରାତି ରେ ଶୋଇଲା ପର୍ଯ୍ୟନ୍ତ ଖାଲି କାମ । ସେ ଆଖି ରେ କ୍ଳାନ୍ତି କୁ କେତେବେଳେ ମୁଁ ଦେଖିନି । କେତେବେଳେ ଶୁଏ ଵା କେତେବେଳେ ଶେଯ ରୁ ଉଠେ ଜାଣିବାକୁ ମୁଁ ଚେଷ୍ଟା କରିନି। କାଁଭାଁ କେତେବେଳେ ଦେହ ଖରାପ ହେଲେ ଖୁବ କମ ସମୟ ପାଇଁ ବିଶ୍ରାମ ନିଏ। କଣ ହେଉଛି ବୋଲି ପଚାରିଲେ ‘ନା, ଏମିତି ଆଖି ଟିକିଏ ଲାଗିଗଲା ‘ ବୋଲି କହେ। ପରିବାର କୁ ନିରନ୍ତର ସେବା ଯୋଗାଇଦେବା ପାଇଁ ବୋଧହୁଏ ଭଗବାନ ତାକୁ ରୋଗୀ କରିନାହାନ୍ତି ।
ବେଶ ପରିପାଟୀ ରେ ନଜର ରଖେ ନାହିଁ। ବନ୍ଧୁବାନ୍ଧବ ଘରକୁ କ୍ଵଚିତ ଯାଏ। ଯଦି ଯାଏ ତେବେ ଚଞ୍ଚଳ ଫେରିଆସେ। ନହେଲେ ପରିବାର ରେ ଖାଇବା ଅସୁବିଧା ହେବ।ରୋଷେଇ କରି ପରିବାର କୁ ଠିକ ସମୟରେ ଖାଇବାକୁ ଦେବା ତାର ଧର୍ମ ବୋଲି ଭାବି ନେଇଛି ।
ଠାକୁର ଘରେ ପୂଜାର୍ଚ୍ଚନା ସାରି ଖାଲି ମୁଣ୍ଡିଆ ମାରି କଣ ଗୁଡ଼ାଏ ମନାସି କହେ। ପରିବାର ହିଁ ତାର ପ୍ରାଣ। ପରିବାର ରେ କାହାର ଦେହ ଖରାପ ହେଲେ ମା ବୁଢୀ ଠାକୁରାଣୀ କୁ ଡାକେ ଚଞ୍ଚଳ ଭଲ କରିଦେବାକୁ।
ଅସୁବିଧା ସମୟରେ ଉପଯୁକ୍ତ ପରାମର୍ଶ ଦେଇ ପରିବାର ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖିଥାଏ। କାହାର ସାହାଯ୍ୟ ଖୋଜେ ନି। ଯଦି ବି କେହି ଅଯାଚିତ ଭାବରେ ସାହାଯ୍ୟ କରିବାକୁ ଆସେ ତେବେ ମନା କରେ ଓ ‘ମୁଁ କରିଦେବି’ ବୋଲି କହିଥାଏ। ଭୀଷଣ ସ୍ଵାଭିମାନୀ ସେ। କାଳେ କିଏ ମନା କରିଦେବ ବୋଲି କାହାରିକୁ ଘର କାମ କରିବାକୁ କହେନାହିଁ।
ଅତୁଳନୀୟ ତାର ମମତା। ଦରଦୀ ମଣିଷ ସେ। ଅନ୍ୟର ଅସୁବିଧା ବୁଝିପାରେ । କର୍ମ ଭିତରେ କାଳିଆ କୁ ଖୋଜେ।
ଦିନ ଆସେ ରାତି ହୁଏ। କର୍ମମୟ ଜୀବନ ରେ ଅନେକ ଜଞ୍ଜାଳ ର ଫର୍ଦ୍ଦ ଯୋଡି ହୋଇଯାଏ। ଅନେକ ବସନ୍ତ ବି ବୋହିଯାଏ। ପିଲାମାନେ ବଡ଼ ହୋଇ ଘର ସଂସାର କଲେଣି। କିନ୍ତୁ ତା ପାଖରେ ପରିବର୍ତ୍ତନ ସ୍ପର୍ଶ କରିପାରିନି। କେବଳ ବୟସ ଯାହା ବଦଳେଇ ଦେଇଛି ଶରୀର କୁ। ବାହ୍ୟ ରୂପକୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ ହୋଇଯାଏ। ଯେଉଁ ଘରକୁ ଏତେ ଯତ୍ନ କରିଆସିଥିଲା ଓ ପିଲାମାନଙ୍କ ର ମଙ୍ଗଳ ମନାସି ଆସୁଥିଲା ଆଉ ଦରକାର ପଡୁନି। ପରିବର୍ତ୍ତନ ଆସିଯାଇଛି ତାର ଘରେ। ପିଲାମାନଙ୍କ ଭିତରେ ବି ଅନେକ ବଦଳି ଯାଇଛନ୍ତି। ଆଉ ଶୁଣୁନାହାନ୍ତି ତାର କଥା। ମୁଣ୍ଡକୁ ହାତ ପାଇଲାଣି। ଆଉ ବୁଢୀ ର ଆବଶ୍ୟକତା ନାହିଁ। ଆଧୁନିକତା ସ୍ପର୍ଶ କରିଛି ସେମାନଙ୍କୁ। ସନ୍ଧ୍ୟା ରେ ଭାଗବତ ଆଉ ପଢା ହେଉନି। ତା ସ୍ଥାନ ନେଇଯାଇଛି ରକ୍ ଗୀତ। ତା ସାଥିରେ ତାଳ ଦେଇ ଉଚ୍ଚ ସ୍ଵର ରେ ଗୀତ ବୋଲୁଛନ୍ତି ପିଲାମାନେ। ଯେଉଁ ଘର ଦିନେ ସନ୍ଧ୍ୟାରେ ଆଧ୍ୟାତ୍ମିକ ଭାବରେ ଡୁଵି ଯାଉଥିଲା ସେ ଘରେ ଧୂପକାଠି ଆଜି ସ୍ଵପ୍ନ।
ଏହି ପରିବେଶ ତାର ମମତା କୁ କ୍ଷତାକ୍ତ କଲା। ଠାକୁରଙ୍କ ପାଖରେ ଗୁହାରି କଲା ନେଇଯିବା ପାଇଁ। କାରଣ ଜୀବନ ତାକୁ ତାତ୍ସଲ୍ୟ କଲା । ସେ ଅନାବିଳ ସ୍ନେହ ର ପ୍ରତୀକ ଥିଵା ମଣିଷ ଟି ଦିନେ ହୃଦୟ ରେ ଦରଦ ଦେଇ ଲୁଚିଗଲା। ମାଗିନାହିଁ ସେ କେବେ ମମତା ର ମୂଲ। ଅଜାଡ଼ି ଦେଲା ସବୁ ଵିନା ଦ୍ବିଧାରେ । ଋଣି କରିଦେଲା ସବୁଦିନ ପାଇଁ । ଏବେ ବି ମୁଁ ଖୋଜୁଛି ସେହି ସ୍ନେହ ମମତା କୁ । ମିଳୁନାହିଁ ଆଉ। ଯାହା ମିଳୁଛି ଧୂସରିତ ଓ ସ୍ଵାର୍ଥ ଜଡ଼ିତ।