ପିଲାଦିନୁ “ଆହେ ଦୟାମୟ ବିଶ୍ବ ବିହାରୀ….” ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ ଜୀବ ରୂପେ ସୃଷ୍ଟି କରିଅଛନ୍ତି। ମନୁଷ୍ଯ ର ଶ୍ରେଷ୍ଠତ୍ବ କୁ ପ୍ରତିପାଦିତ କରିବା ପାଇଁ ଭଗବାନ ଚେଷ୍ଟିତ ହେବା ଉଚିତ।
ଯଦି ଭଗବାନ ମଣିଷ କୁ ସଦବୁଦ୍ଧି, ସତ ଜ୍ଞାନ, ସତ କର୍ମ, ସତ ରାସ୍ତା ରେ ପରିଚାଳିତ କରିଥାନ୍ତେ ତେବେ ସମାଜ ରେ ଅନ୍ଯାୟ, ଅତ୍ଯାଚାର, ଦୁରାଚାର, ବ୍ଯଭିଚାର, ମିଥ୍ଯା, ହିଂସା, ଶୋଷଣ, ଦ୍ବେଷ, ପରଶ୍ରୀକାତରତା, ଲୋଭ, କପଟ, ଲୁଣ୍ଠନ, ଚୋରି, ଆତ୍ମସାତ, ଠକାମି, ଅସ୍ଥିରତା ଇତ୍ୟାଦି ନଥାନ୍ତା
ଲୋକମାନେ ସୁଖ , ଶାନ୍ତି, ବିଶ୍ୱାସ ଓ ସହାନୁଭୂତି ସହିତ ବସବାସ କରିଥାନ୍ତେ।
ଭଗବାନ ଜାଣିଶୁଣି ଏହି ସବୁ ନକରାତ୍ମକ ଚିନ୍ତାଧାରା ସମାଜ ରେ ସୃଷ୍ଟି କରିଛନ୍ତି। ଯାହା ଫଳରେ ମଣିଷ ଟି ପ୍ରତି ମୂହୁର୍ତ୍ତ ରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିବ।
ସେ କିପରି ସୁଖ ଓ ଶାନ୍ତି ରେ ନ ରହିବ ସେଥିପାଇଁ ବୋଧହୁଏ ଭଗବାନ ସତତ ଚେଷ୍ଟିତ। ଆମ ପାଖରେ ଭଗବାନ ଯଦି ସମସ୍ତ ଭଲ ଗୁଣ ଭରି ଦେଇଥାନ୍ତେ ତେବେ ମନ୍ଦ ଶବ୍ଦ ସବୁ ଅଭିଧାନ ରେ ନଥାନ୍ତା।
ଘରେ ପିଲାମାନେ ଯଦି ଭୁଲ କରନ୍ତି ତେବେ ପିତାମାତା ବି ନିନ୍ଦା ଶୁଣିଥାନ୍ତି। ସେହି ଦୃଷ୍ଟି ରୁ ମଣିଷ ଭୁଲ କଲେ ଭଗବାନ ବି ନିନ୍ଦା ଶୁଣିବା କଥା।
ଏ ସବୁ ବୋଧହୁଏ ତାଙ୍କର ମାୟା। ତା ଜାଲ ରେ ମଣିଷ କୁ ପକାଇ ଓ ସବୁ ଦୋଷ ତା ଉପରେ ଲଦିଦେଇ ନିଜେ ଖସିଯିବାକୁ ବସିଛନ୍ତି ଭଗବାନ।
ମନ ରେ କିଛି ପ୍ରଶ୍ନ ଉଙ୍କିମାରେ:
ଭଗବାନ କଣ ଅଛନ୍ତି ?
ସେ କଣ ଶୁଣନ୍ତି ?
ଯଦି ଅଛନ୍ତି ଓ ଶୁଣନ୍ତି ତେବେ ପିଲାଦିନୁ ଆମ କଥା କାହିଁକି ଶୁଣିଲେ ନାହିଁ ?