ଢେଙ୍କାନାଳ ଜିଲ୍ଲାରେ କ୍ରମାଗତ ଭାବରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ବୃଦ୍ଧି ପାଉଛି । ଏଠାରେ ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ସବୁ ଜାଣିଶୁଣି ଚୁପଚାପ ବସିଛନ୍ତି । ସେହିପରି ଆଶା ଏବଂ ଅଙ୍ଗନୱାଡି କର୍ମୀମାନେ ଗାଁ ଗାଁରେ ବାଲ୍ୟ ବିବାହ ଚାଲୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବାର ଜଣାପଡିଛି ।
୨୦୧୧ ଜନ ଗଣନା ଅନୁସାରେ ୧୧ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୫୯୭ ହୋଇଥିବା ବେଳେ ମହିଳା ମାନଙ୍କ ସଂଖ୍ୟା ୫ଲକ୍ଷ ୮୦ ହଜାର ୩୫୧ ବୋଲି ପରସଂଖ୍ୟାନରୁ ଜଣାପଡିଛି । ଜିଲ୍ଲାରେ ପ୍ରତି ବର୍ଗକିମିରେ ୨୬୮ ଜଣ ବସବାସ କରୁଥିବା ବେଳେ ପୁରୁଷ ସାକ୍ଷରତା ହାର ୮୭ ପ୍ରତିଶତ ରହିଥିବା ବେଳେ ମହିଳା ମାନଙ୍କ ସାକ୍ଷରତା ହାର ୭୧ ପ୍ରତିଶତ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲାର ବିକାଶ କରିଥିବା ବେଳେ ନାରୀ ଶିକ୍ଷା କ୍ଷେତ୍ରରେ ସେଭଳି ବିକାଶ ହୋଇପାରିନାହିଁ । ଜିଲ୍ଲାରେ କନ୍ୟା ସନ୍ତାନ କ୍ରମାଗତ ଭାବରେ ହ୍ରାସ ପାଉଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି ।
୧୯୦୧ ମସିହାରେ ଜିଲ୍ଲାରେ ପ୍ରତି ୧ହଜାର ପୁରୁଷରେ ୧ହଜାର୨୦ମହିଳା ରହିଥିଲେ । ୧୯୭୧ରେ ୯୮୦ ଥିବାବେଳେ ୨୦୧୧ ଜନଗଣନା ବେଳକୁ ୯୪୭କୁ ହ୍ରାସ ପାଇଥିବାର ଜଣାପଡିଥିଲା । ମୁଖ୍ୟତଃ ଦାରିଦ୍ରତା, ନିରକ୍ଷରତା, ଅନ୍ଧ ବିଶ୍ୱାସ ଯୋଗୁ ବାଲ୍ୟ ବିବାହ ବୃଦ୍ଧି ପାଇଛି । ଏହି ସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ ଥିବା ବେଳେ ଅଶା,ଅଙ୍ଗନୱାଡି କର୍ମୀମାନେ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି। ଜଣାପଡିଛି ଯେ, ପ୍ରତି ୧ହଜାର ପୁରୁଷରେ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୯୧୮ ରହିଥିବାବେଳେ ଗ୍ରାମାଞ୍ଚଳରେ ୯୫୦ ରହିଛି। ସେହିପରି ଏସସି ମାନଙ୍କ କ୍ଷେତ୍ରରେ ପ୍ରତି ୧ହଜାର ପୁରୁଷରେ ମହିଳା ମାନଙ୍କ ସଂଖ୍ୟା ୯୭୧ ରହିଥିବାବେଳେ ଗ୍ରାମାଞ୍ଚଳରେ ୯୭୨ ଏବଂ ସହରାଞ୍ଚଳରେ ୯୫୮ ରହିଛି । ଢେଙ୍କାନାଳ ଜିଲ୍ଳାରେ ୨୦୨୩-୨୪ରେ ୫୦ଟି ବାଲ୍ୟ ବିବାହ ମାମଲା ରୁଜ୍ଜୁ କରାଯାଇଥିବାର ରେକର୍ଡ ରହିଥିବା ବେଳେ ୨୦୨୪-୨୫ ନଭେମ୍ବର ସୁଦ୍ଧା ୨୫୮ଟି ବାଲ୍ୟ ବିବାହ ଉଦ୍ୟମକୁ ପଣ୍ଡ କରାଯାଇଥିବାର ଜଣାପଡିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଏହି ତଥ୍ୟ ଅତ୍ୟନ୍ତ ଉଦବେଗ ଜନକ ବୋଲି ଜଣାପଡିଛି। ବାଲ୍ୟବିବାହ କ୍ଷେତ୍ରରେ କାର୍ଯ୍ୟକରୁଥିବା ଜିଲ୍ଲା ବିଶ୍ୱ ଯୁବ କେନ୍ଦ୍ର ଏକ ସ୍ୱେଚ୍ଛାସ୍ୱେବୀ ଅନୁଷ୍ଠାନ ଯାହା ମଇ ୨୦୨୩ ମସିହା ଠାରୁ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟରତ ଅଛି। କୈଳାସ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନଙ୍କ ସହଯୋଗରେ ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଚାଲାଣ ପ୍ରତିରୋଧ କରିବା ପାଇଁ ଗୋଷ୍ଠୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଚେତନତା ସୃଷ୍ଟି କରିବା ସହିତ ସ୍ଥାନୀୟ ପ୍ରଶାସନଙ୍କ ସହଯୋଗରେ ଶିଶୁ ସୁରକ୍ଷା ଉପରେ ସିଧା ସଳଖ ଭାବେ କାର୍ଯ୍ୟ କରୁଅଛି । ୨୦୨୩-୨୪ମସିହା ଠାରୁ ଅଦ୍ୟାବଧି ପ୍ରାୟ ୩୦୦ ବାଲ୍ୟବିବାହ ବନ୍ଦ କରିବା ସହିତ ପ୍ରାୟ ୨୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ଓ ଶିଶୁ ଯୌନ ନିର୍ଯାତନା ପାଇଁ ଶିଶୁ ଓ ଅଭିଭାବକ ମାନଙ୍କୁ ଆଇନ ଗତ ସହାୟତା ଯୋଗାଇ ଦିଆଯାଇଛି । ୨୦୨୦-୨୧ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ଶତକଡା ୨୩ ଭାଗ ବାଲ୍ୟବିବାହ ହୋଇଥିବା ସ୍ଥଳେ ଢେ଼ଙ୍କାନାଳ ଜିଲ୍ଲାରେ ପ୍ରାୟ ସମାନ ସ୍ଥିତି ଥିବାର ସୂଚନା ଅଛି । ସେଥିପାଇଁ ରାଜ୍ୟ ଓ ଭାରତ ସରକାରଙ୍କ ତରଫରୁ ବାଲ୍ୟ ବିବାହ ରୋକିବା, ଶିକ୍ଷାର ବିକାଶ ଓ ଥଇଥାନ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିବା କଷ୍ଟକର ହୋଇପଡୁଛି । ଗତ ସେପ୍ଟେମ୍ବର ୨୦୨୪ ତାରିଖରେ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦେଶ ଅନୁଯାୟୀ ସ୍ଥାନୀୟ ପ୍ରଶାସନ, ସରକାର, ପଞ୍ଚାୟତ, ନିର୍ବାଚିତ ପ୍ରତିନିଧିମାନଙ୍କୁ ବାଲ୍ୟବିବାହ ରୋକିବାକୁ କ୍ଷମତା ପ୍ରଦାନ କରାଯିବ ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି।
ଭାରତ ସରକାରଙ୍କ ତରଫରୁ ଗତ ୨୭ ନଭେମ୍ବର ୨୦୨୪ ରିଖରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ଏକ ଅଭିଯାନ ଆରମ୍ଭ କରାଯାଇଅଛି। ସେଥିପାଇଁ ରାଜ୍ୟ ସରକାରମାନଙ୍କୁ ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବାଲ୍ୟ ବିବାହ ରୋକିବାକୁ ଦାୟିତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଏ ଅଭିଯାନକୁ ସ୍ୱାଗତ କରାଯିବା ସହିତ ସ୍ଥାନୀୟ ଓପିଏସ ମହାବିଦ୍ୟାଳୟ ହିନ୍ଦୋଳ ରୋଡ ଠାରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏତଦ ବ୍ୟତିତ ୫୮ ଟି ଗ୍ରାମରେ ସଚେତନତା ସଭା ଓ ସତ୍ୟପାଠ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟ ବିବାହ ନିରୋଧ ଅଭିଯାନର ଅବିବାହିତ ପୂର୍ବରୁ ୩୫ହଜାର ଲୋକଙ୍କୁ ଶପଥ ପାଠ କରାଯାଇ ଅଭିଯାନରେ ସାମିଲ କରାଯାଇଅଛି। ତେବେ ଜିଲ୍ଲାରେ ବାଲ୍ୟ ବିବାହ ଗାଁ ଗାଁରେ ଏବେ ମଧ୍ୟ ପ୍ରଚଳିତ ରହିଛି। ବ୍ୟାପକ ସଚେତନତା ଏବଂ ଆଇନ କଠୋର ନହେବା ଯୋଗୁ ଏହା ବୃଦ୍ଧିପାଇବାରେ ଲାଗିଛି। ବାଲ୍ୟ ବିବାହ ଆଇନ ଅନୁସାରେ ଯଦି କେହି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଏ କମ୍ବା କରେ ତେବେ ୨ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରି ନହେବାରୁ ଏହା ଦିନକୁଦିନ ବୃଦ୍ଧି ପାଉଥିବାର ଆଲୋଚନା ହେଉଛି ।