ସାଧାରଣତଃ ମଣିଷ ମୃତ୍ୟୁ ପରେ ସଂସ୍କାର ପୂର୍ବକ ଶବ ସତ୍କାର କରାଯାଇଥାଏ। ଏ ବ୍ୟବସ୍ଥା ପୁରାତନ ଯୁଗରୁ ଚାଲି ଆସୁଥିବାବେଳେ ଢେଙ୍କାନାଳ ସହରବାସୀ ବା ଏଠିକାର ଡାକ୍ତରଖାନାରେ ମୃତୁ୍ୟବରଣ କରୁଥିବା ସବୁ ଲୋକଙ୍କ ଭାଗ୍ୟରେ ଲେଖା ନାହିଁ। ସହର ଉପକଣ୍ଠରେ ଥିବା ଶ୍ମଶାନରେ ସତ୍କାର ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ହେତୁ ଲୋକଙ୍କୁ ବହୁତ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। କଟକ ଭୁବନେଶ୍ୱର ପରି ସହର ଗୁଡ଼ିକରେ ଶବଦାହ ପାଇଁ ଯେପରି ବିଦ୍ୟୁତ ଚୁଲା ବ୍ୟବସ୍ଥା ରହିଛି ଢେଙ୍କାନାଳ ପାଇଁ ସେହିପରି ବ୍ୟବସ୍ଥା କରିବା ଜରୁରୀ ହୋଇ ପଡିଛି। ଚଳିତ ବର୍ଷ କରୋନା ମହାମାରୀ ପରେ ଶବ ସତ୍କାର କରିବା ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ।
ସୂଚନା ରହିଛି କରୋନାରେ ମୃତ ବ୍ୟକ୍ତିଙ୍କୁ ପୌରପାଳିକା ଆବର୍ଜନା ପକାଉଥିବା ସ୍ଥାନରେ ମେସିନ ଦ୍ବାରା ପୋତି ଦିଆଯାଉଛି। ଯାହା ପରବର୍ତ୍ତୀ ସମୟରେ ବିଲୁଆ କୁକୁର ପରି ଜୀବ ଖୋଳି ବାହାର କରି ଖାଉଥିବା ଅଭିଯୋଗ ହେଉଛି। ଏପରି ହେବା ଦ୍ବାରା କରୋନା ବ୍ୟାପିବା ସମ୍ଭାବନା ରହିଛି। ତା ଛଡା ଏହା ମୃତ ବ୍ୟକ୍ତି ପ୍ରତି ଏକ ଅସମ୍ମାନର କଥା। ଏହି ସମସ୍ୟା ସମାଧାନ ପାଇଁ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି। ସମାଜସେବୀ ରାମ ପାତ୍ର, ରାଜେନ୍ଦ୍ର କୁମାର ପ୍ରଧାନ, ସୁନିଲ କୁମାର ସାହୁ, ମୂଷା ବାରିକ, ଜଗନ୍ନାଥ ହୋତା, ବିଶ୍ବଜିତ ସାହୁ, ଭଜମନ ସାହୁ ପ୍ରମୁଖ ଗୋଟିଏ ବିଦ୍ୟୁତ୍ ଚୂଲା ସ୍ଥାପନ କରିବା ପାଇଁ ନିବେଦନ କରିଛନ୍ତି । ଏହା ଦ୍ବାରା ଢେଙ୍କାନାଳ ସହର ବାସୀ ଉପକୃତ ହେବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଅସହାୟ ଗରିବ ଶ୍ରେଣୀର ଲୋକମାନେ ବି ଉପକୃତ ହୋଇପାରିବେ ।
