ଢେଙ୍କାନାଳ ପୌରାଞ୍ଚଳର କେନ୍ଦ୍ର ବିନ୍ଦୁରେ ଥିବା ଭାଗିରଥି ସାଗରର ସୁରକ୍ଷା ସମ୍ପର୍କରେ ସୁରକ୍ଷା ସମିତିର ପାଞ୍ଚ ଦଫା ସମ୍ବଳିତ ଏକ ଦାବି ପତ୍ର ସଦର ତହସିଲଦାର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।
ଚିନ୍ମୟ ମିଶନ ପାଖରେ ତିଆରି ହେଉଥିବା ଘରକୁ ସଦର ଆର ଆଇ ପୋଲିସ ସହାୟତାରେ ବନ୍ଦ କରାଇଥିଲେ । ତଥାପି ଘର ତିଆରି କରୁଥିବା ମାଲିକ ନିଜ ଜିଦି ରେ ଅଟଳ ଥିଲେ । ଭାଗିରଥି ସାଗରର ସଫେଇ ଓ ଉନ୍ନତିକରଣ ପାଇଁ ପ୍ରତ୍ୟେକ ବର୍ଷ ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି । ମାତ୍ର ସଫେଇ ହେଉନାହିଁ କିମ୍ବା ଉନ୍ନତି ପରିଲକ୍ଷିତ ହେଉନାହିଁ ।
ଅର୍ଥ ତୋସାରପାତର ଏକ ନିଛକ ପ୍ରତିଛବି ପ୍ରତିପାଦିତ ହେଉଛି । ପୁଣି ପାଞ୍ଚ କୋଟି ଅର୍ଥ ବ୍ୟୟରେ ଏହାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ସୁରକ୍ଷା ସମିତି ପକ୍ଷରୁ ୩ ଥର ପତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଏଥିରେ ଆଲୋଚନା କରିବାପାଇଁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟବାହି ହୋଇନାହିଁ ।
ବିଭିନ୍ନ ଗଣ ମାଧ୍ୟମ ଉଜାଗର କରୁଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା l ପ୍ରତିବଦଳରେ ପୁଷ୍କରିଣୀର ଖାଲି ପଡ଼ିଥିବା ଜାଗା ଉପରେ ଅନୈତିକ କନଷ୍ଟ୍ରକ୍ସନ ବଢିଚାଲିଛି । ଭାଗିରଥି ସାଗର ସୁରକ୍ଷା ସମିତି ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଦାବି ପତ୍ରରେ ଚାଲିଥିବା କନଷ୍ତ୍ରକ୍ସନକୁ ବନ୍ଦ କରିବା, ରେକର୍ଡ ଅନୁସାରେ ପୁଷ୍କରିଣୀର ଏରିଆ ନିର୍ଧାରଣ କରି ସିମେଣ୍ଟ ଖୁଣ୍ଟି ପୋତlଯିବା, ପୁଷ୍କରିଣୀଟିକୁ ପୋତିବା ପାଇଁ ଭିତରେ ପାଖରେ ପକାଯାଉଥିବା ମାଟି ଓ ଇଟା ଖଣ୍ଡକୁ ବାହାର କରିବା, ହୁଡ଼ା ଉପରେ ଚୋରା ବାଲି ଓ ଗୋଡ଼ି ଡ଼ମ୍ପିଙ୍ଗ ବନ୍ଦ କରିବା ଓ ପୁଷ୍କରିଣୀ ଚତୁର୍ପାଶ୍ୱ ସଫା ରଖିବା ପ୍ରମୁଖ ଥିଲା ।
ଏହି କାର୍ଯ୍ୟକ୍ରମର ଆଲୋଚନାରେ ସୁରକ୍ଷା ସମିତିର ସଭାପତି ପଙ୍କଜ ନାୟକ, ଉପସଭାପତି ଜି. ମନ୍ମଥ ରାଓ, ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ସହସମ୍ପାଦକ ଦୟାନିଧି ବେହେରା, ଉଦୟନାଥ ବେହେରା ପ୍ରମୁଖ ଭାଗ ନେଇଥିଲେ ।
