ବିଦ୍ୟୁତ ସରବରାହ ନଥିବା ହେତୁ ବର୍ଷେ ହେଲା କାର୍ଯ୍ୟକାରୀ ହୋଇପାରୁନି ଜଳ ପ୍ରକଳ୍ପ ; ପାଣି ପାଇଁ ଡହଳବିକଳ କଙ୍ଗେଇଲ ଗ୍ରାମବାସୀ
ଶୀତ ଶେଷ ହେବାକୁ ବସିଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ। ଯେଉଁ ସମୟରେ ଲୋକ ପାଣି ପାଇଁ ଡହଳବିକଳ ହୁଅନ୍ତି। ଏପରି ସମୟରେ କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କଙ୍ଗେଇଲ ଗାଁ ର ଲୋକ ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ଗାଁ ର ଲୋକ ସଂଖ୍ୟା ୩୦୦ ଉର୍ଦ୍ଧ୍ବ , ଯେଉଁ ପାଣି ଯୋଗାଇ ଦିଆଯାଉଛି ତାହା ଯଥେଷ୍ଟ ହେଉନାହିଁ। ଗାଁର ପାନୀୟଜଳ ସମସ୍ୟାର ସମାଧାନ ପାଇଁ ବର୍ଷେ ପୂର୍ବରୁ ବସୁଧା ଯୋଜନାରେ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଛି। ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ ପୋତା ସରିଛି, ତାର ବି ଟଣା ହୋଇଛି ହେଲେ ବିଜୁଳି ନାହିଁ! ଯେଉଁ କାରଣରୁ ଗାଁକୁ ପାନୀୟଜଳ ଯୋଗାଇ ଦିଆଯାଇ ପାରୁ ନାହିଁ।
ଗ୍ରାମବାସୀ ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସୁଛନ୍ତି ହେଲେ ବିଦ୍ୟୁତ ସରବରାହ ନଥିବା ଯୋଗୁଁ ପାଣି ଯୋଗାଇ ଦିଆଯାଇ ପାରୁ ନାହିଁ ବୋଲି ସେ କହୁଛନ୍ତି।
ଅନ୍ୟ ପକ୍ଷରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ପଚାରିଲେ “ହୋଇଯିବ” ଉତ୍ତର ମିଳୁଛି କିନ୍ତୁ ବର୍ଷେରୁ ଅଧିକ ସମୟ ହେଲାଣି ହୋଇ ପାରୁ ନାହିଁ। ଆଗକୁ ଗ୍ରୀଷ୍ମ ଋତୁ, ପାନୀୟ ଜଳ ଯୋଗାଇ ଦିଆ ନଗଲେ ଆନ୍ଦୋଳନ ପନ୍ଥା ଆପଣେଇବା ପାଇଁ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।
