ଢେଙ୍କାନାଳ ଛାତ୍ର ସମାଜର ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଢେଙ୍କାନାଳ ଜିଲ୍ଲାରେ ୧୫୩୫୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍ ଦେବାକୁ ପଡିଥାଏ ।
କୋରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି ।
କୋରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ । ଜିଲ୍ଲାରେ ପନ୍ଦର ହଜାର ତିନି ଶହ ଚଉବନଜଣ ଛାତ୍ରଛାତ୍ରୀ ମଧ୍ୟରୁ ଭୁବନ ବ୍ଳକରୁ -୧୭୦୮ ଜଣ ,ଢେଙ୍କାନାଳ ସଦର -୨୬୧୭ ଜଣ, ଗଁଦିଆ ବ୍ଳକରୁ -୧୯୫୧ ଜଣ, ହିନ୍ଦୋଳ ବ୍ଳକରୁ-୨୪୫୩ଜଣ, କାମାକ୍ଷାନଗରର-ୁ ୧୭୧୩ଜଣ, କଙ୍କଡାହାଡ ବ୍ଳକରୁ -୧୪୯୪ ଜଣ, ଓଡାପଡ଼ା ବ୍ଳକରୁ -୧୭୯୯ଜଣ ଓ ପର୍ଜଙ୍ଗ ବ୍ଳକରୁ- ୧୬୧୯ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମରେ ପାଠ ପଢୁଥିବା ଜିଲ୍ଲାଶିକ୍ଷା ବିଭାଗରୁ ସୂଚନା ମିଳିଛି ।
