ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି। ଯାହାର ଅଟକଳ ପରିମାଣ ହେଉଛି ୧,୨୦,୦୦୦ ଟଙ୍କା। ଘର ନିର୍ମାଣ ପାଇଁ ସରକାର ଅଗ୍ରୀମ କିସ୍ତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥାନ୍ତି, ଯେଉଁ ଟଙ୍କାରେ ହିତାଧିକାରୀ ଘରର ନିଅଁ ଠାରୁ ପ୍ଳିନ୍ଥ ପତନ କରେ। ଦ୍ବିତୀୟ କିସ୍ତିରେ ସରକାର ୩୦,୦୦୦ ଟଙ୍କା ଦିଅନ୍ତି। ଏହି ଟଙ୍କାରେ ହିତାଧିକାରୀକୁ ଛାତ ପତନ ପର୍ଯ୍ୟନ୍ତ କରିବାକୁ ପଡ଼ିଥାଏ। ତୃତୀୟ କିସ୍ତିରେ ଛାତ ପକାଇବା ପାଇଁ ୪୦,୦୦୦ ଟଙ୍କା ଦିଆଯାଏ। ଚତୁର୍ଥ କିସ୍ତି ଘରର କବାଟ ଝରକା, ପଲସ୍ତରା ଶେଷ ହେବା ପରେ ଦିଆଯାଏ। ଏହିପରି ମୋଟ ୧,୨୦,୦୦୦ ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯାଏ।
ଏହା ବାଦ ସରକାର ଏନଆରଜିଏସ ଯୋଜନାରେ ଘରେ ଶ୍ରମିକ ପାଇଁ ୧୫,୦୦୦(ବର୍ତ୍ତମାନ ୧୮,୦୦୦) ଟଙ୍କା ଦେଇଥାନ୍ତି। ଯଦି ଘର ନିର୍ମାଣ କାର୍ଯ୍ୟ ୪ ମାସ ମଧ୍ୟରେ ଶେଷ କରନ୍ତି ସରକାର ପ୍ରୋତ୍ସାହନ କରିବା ପାଇଁ ୨୦,୦୦୦ ଟଙ୍କା ଦେଇଥାନ୍ତି।
ତେବେ କାମାକ୍ଷାନଗର ଉପଖଣ୍ଡର ପର୍ଜଙ୍ଗ ପରେ କାମାକ୍ଷାନଗର ବ୍ଲକ ଅଞ୍ଚଳ ବୁଢିବିଲି ପଞ୍ଚାୟତ କଣ୍ଟାଝରିଆ ଗାଁର ଅମ୍ବିକା ଦାସ ସ୍ବାମୀ ଟୁନା ତ୧୫/୫/୨୦୧୯ରେ ଘର ପାଇଁ କାର୍ଯ୍ୟାଦେଶ (ନଂ୧୩୯) ପାଇଲେ। ତାଙ୍କ ଘର ସେ ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ ମଧ୍ୟ କରିଛନ୍ତି।
ହେଲେ ବର୍ଷେ ପାଖାପାଖି ହେବ ଏନଆରଜିଏସ ବାବଦରେ ମିଳିବାକୁ ଥିବା ୧୫,୦୦୦ ଟଙ୍କା ମିଳି ନାହିଁ। ପଞ୍ଚାୟତ ଅଫିସ୍ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
