ଭୁବନରେ ମାତିଲେ ସିରିଜ ଚୋର । ବାଲିବୋ ଗ୍ରାମରେ ୩ ଜଣଙ୍କ ଘରେ କଳା କନା ବୁଲାଇ ଦେଲେ ଚୋର । ଲୁଟିନେଲେ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢ଼ୀ ।
ଶନିବାର ବିଳମ୍ବିତ ରାତିରେ ଗ୍ରାମର ବ୍ରାହ୍ମଣ ଶାସନର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷକ ଯୁଗଳ କିଶୋର ମିଶ୍ର ଘରେ ନଥିଲେ। ହୀରାକୁଦରେ ଚାକିରି କରିଥିବା ପୁଅ ନିକଟକୁ ୨ ଦିନ ପୂର୍ବେ ଯାଇଥିବା ବେଳେ ଏହାର ସୁଯୋଗରେ ଘରେ ପଶି ଚୋରି କରିଛନ୍ତି।
ପଡୋଶୀ ସୂର୍ଯ୍ୟମଣି ଦାସଙ୍କ ପରିବାର ଲୋକ ଘରେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ଘର ଭିତରେ ପଶିଲେ, ନିଶା ଦ୍ରବ୍ୟ ସ୍ପ୍ରେ କରିଲେ। ଶୋଇବା ଘର ବାହାର ପଟରୁ କବାଟ ଦେଲେ। ଆଲମାରୀ ରୁ ସୁନାହାର, କାନ ଫୁଲ, ,ମୁଦି ,ପାଉଁଜି ,ସୁନା ଚୁଡ଼ି ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢୀ ନେଇ ଯାଇଥିଲେ । ସୂର୍ଯ୍ୟମଣି ତାଙ୍କ ନାତି ବ୍ରତଘର ପାଇଁ ବାକିରେ ସୁନାଚେନ କିଣିଥିଲେ। ପରେ ସେହି ବାଲିବୋ ପଞ୍ଚାୟତ ପିଅନ ନୂଆସାହି ବାସିନ୍ଦା ପବିତ୍ର ସ୍ଵାଇଁ ଘରେ ପଶି ଆଗପଟରୁ କବାଟ ବନ୍ଦ କରି ଦେଇ ଠାକୁର ଘରୁ ସୁନା ଟିକିଲି ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ସକାଳ ହେଲା ଚହଳ ପଡିଲା। ଗୋଟିଏ ରାତିରେ ଏଭଳି ଚୋରି ବାଲିବୋ ଗ୍ରାମରେ ଆଗରୁ କେବେ ଘଟି ନଥିବାରୁ ଏଥିରେ ସ୍ଥାନୀୟ କିଛି ମଦ୍ୟପ ଯୁବକଙ୍କ ହାତ ଥାଇପାରେ ବୋଲି ଗ୍ରାମରେ ଚର୍ଚ୍ଚା ଜୋର ଧରିଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
