News
WhatsApp Image 2023-10-04 at 17.25.00
samparksetu

ଆଣ୍ଠେଇ ପଡିଛି ହିନ୍ଦୋଳର ଶିକ୍ଷା ବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ମହକୁମାରେ ୧୯୧୭ ମସିହାରେ ରାଜାରାଜୁଡ଼ା ସମୟରେ ଗଢିଉଠିଥିବା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଆଜି ୧୦୭ ବର୍ଷରେ ପଦାର୍ପଣ କରିଥିଲେ ହେଁ ନାନା ସମସ୍ୟା ମଧ୍ୟରେ ଗତି କରୁଛି।ପୂର୍ବ ସରକାରଙ୍କ ସମୟରେ ୫ଟି (ମୋ ସ୍କୁଲ) ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ କରାଯାଇ ଏହାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ନାନା ଅଭାବ ଅସୁବିଧା ଲାଗି ରହିଛି। ସରକାରଙ୍କ ଶିକ୍ଷା ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବାରୁ ଏଠାରେ ଏବେବି ଜଣେ ନିୟୋମିତ ପ୍ରଧାନ ଶିକ୍ଷକ ନିଯୁକ୍ତ ହୋଇ ପାରୁ ନଥିବା ବେଳେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ପଦ ଫାଙ୍କା ରହିଛି।

ଯେଉଁ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟ ରତ ସେମାନଙ୍କ ମଧ୍ୟରୁ କେତେକ ଡେପୁଟେସନରେ ନିଜ ନିଜ ସୁବିଧାରେ ଅନ୍ୟ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ଜଣା ଯାଏ।ମିଳିଥିବା ତଥ୍ୟ ଅନୁଯାଇ ଏଠାରେ ପ୍ରଥମରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ଜଣ ମହିଳା ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିଲେହେଁ ତନ୍ମଧ୍ୟରୁ ୫ଜଣ ଶିକ୍ଷୟିତ୍ରୀ ଅନ୍ୟତ୍ର ଡେପୁଟେସନରେ ଶିକ୍ଷାଦାନ କରୁଥିବା ଜଣାଯାଇଛି। ସେଥି ମଧ୍ୟରୁ ୩ ଜଣ ଶିକ୍ଷୟିତ୍ରୀ ସପ୍ତାହକୁ ୬ଦିନ ଲେଖାଏଁ ଡେପୁଟେସନରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ୨ ଜଣ ସପ୍ତାହକୁ ୩ଦିନ ଲେଖାଏଁ ଅନ୍ୟ ସ୍କୁଲରେ ପାଠ ପଢାଉ ଥିବା ଜଣାପଡିଛି। ବିଦ୍ୟାଳୟରେ ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୧୯ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ସେଥି ମଧ୍ୟରୁ ୫ ଜଣ ଡେପୁଟେସନରେ ରହିଲେ ଶିକ୍ଷାଦାନର ମାନ କିଭଳି ହେଉଥିବ ସହଜରେ ବୁଝା ପଡ଼ୁଛି। ସରକାରଙ୍କ ଶିକ୍ଷା ନୀତି ଅନୁଯାୟୀ ବିଦ୍ୟାଳୟ ପରିସରରେ ଥିବା ଟାଉନ ପ୍ରାଥମିକ ବିଦ୍ୟାଳୟଟି ୨୦୧୮ ମସିହାରେ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ସାମିଲ ହୋଇ ଯାଇଥିଲା। ସେହିଭଳି ନିକଟରେ ଥିବା ପୁରାତନ ବାଳିକା ଉଚ୍ଚ ବିଦ୍ୟାଳୟଟି ୨୦୧୯ ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଏକାକାର ହୋଇ ଯାଇଥିଲା। ୨୦୨୩ ମସିହା ଜୁନ ଜୁଲାଇ ମାସରୁ ଜଣେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଉ ଥିବାବେଳେ ଏପର୍ଯ୍ୟନ୍ତ ଏହି ପୁରାତନ ବିଦ୍ୟାଳୟଟିକୁ ବିଭାଗ ପକ୍ଷରୁ ଜଣେ ନିୟୋମିତ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇ ପାରି ନାହିଁ ଫଳରେ ବିଦ୍ୟାଳୟର ଅନେକ ସରକାରୀ କାମ ଧାମରେ ଅସୁବିଧା ଉପୁଜୁଥିବା ଜଣାପଡ଼ିଛି। ପୂର୍ବରୁ ବାଳକ ମାନଙ୍କୁ ନେଇ ବିଦ୍ୟାଳୟର ଏନ୍ ସି ସି ଆଗକୁ ବଢ଼ି ଥିବା ବେଳେ ଏବେ ୨୦୧୯ ମସିହା ପରେ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଶ୍ରଣ ପରେ ଏନ୍ ସି ସି ର ବାଳିକା ଟ୍ରୁଫକୁ ନେଇ ସମ୍ଭାବନା କ୍ଷୀଣ ହେବାକୁ ଲାଗିଛି। ଏଥିପାଇଁ ବହୁ ଅଭିଭାବକ ଅସନ୍ତୋଷ ପ୍ରକଟ କରି ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ ଡି ଇ ଓ, ହିନ୍ଦୋଳ ଉପଜିଲ୍ଲାପାଳ, ଜିଲ୍ଲାପାଳ, ସ୍ଥାନୀୟ ବିଧାୟିକା, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ଫର୍ଦ୍ଦ ପଠାଇ ଥିବା ଜଣାଇ ଛନ୍ତି।ଅଭିଯୋଗ ମୁତାବକ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀ ଜଣଙ୍କ ଏନେଇ ନିଜର ଅନିଚ୍ଛା ପ୍ରକାଶ କରିବା ସହ କୁଆଡେ ତିନି ଦିନିଆଁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟରେ କାର୍ଯ୍ୟରତ। ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ପି ଟି ଏ ବୈଠକ ଡକାଇ ଅନ୍ୟ ଶିକ୍ଷୟିତ୍ରୀଙ୍କୁ ବାଳିକା ଏନ୍ ସି ସି ଦାୟିତ୍ଵ ନେବାକୁ ପରାମର୍ଶ ଲୋଡ଼ି ଥିଲେ ହେଁ କେହି ରାଜି ହେଉ ନଥିବା ଶୁଣାଯାଉଛି। ଫଳରେ ସ୍କୁଲରେ ବାଳିକା ଏନ୍ ସି ସି ତିଷ୍ଠି ରହିବାରେ ଆଶଙ୍କା ଦେଖା ଦେଇଛି। ବିଦ୍ୟାଳୟ ପରିସର ସଫା ସୁତୁରା ରଖିବା, ଫୁଲ ବଗିଚାରେ ଦାୟିତ୍ଵ ନେଇ ପାଣି ସିଞ୍ଚନ କରିବା ପାଇଁ ଜଣେ ଝାଡୁଦାର ଓ ମାଳିର ଆବଶ୍ୟକତା ଥିଲେ ହେଁ ତାହା ପୂରଣ ହୋଇ ପାରୁ ନାହିଁ। ସେହିଭଳି ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ଷ୍ଟାଣ୍ଡ ପର୍ଯ୍ୟାପ୍ତ ହେଉ ନଥିବାରୁ ଖରା ବର୍ଷା ଶୀତରେ ଅନେକ ପିଲା ବାହାରେ ସାଇକେଲ ରଖୁ ଥିବା ଦେଖା ଯାଉଛି। ମୋଟା ମୋଟୀ ବିଦ୍ୟାଳୟଟି ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ବିଭାଗୀୟ ସୁଦୃଷ୍ଟି ପଡୁ ନଥିବାରୁ ଅବହେଳିତ ହୋଇ ରହିଛି।ତେବେ ବାରମ୍ବାର ବୈମାତୃକତାର ଶିକାର ହେଉଥିବା ହିନ୍ଦୋଳ ଏନଏସିରେ ଥିବା ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ ପାଇଁ ପୂର୍ବରୁ ସ୍ୱରଉତ୍ତୋଳନ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଅଣଦେଖା କରାଯାଉଥିବାରୁ ହିନ୍ଦୋଳ ଏନଏସି ସର୍ବସାଧାରଣ ଓ ଭୋଟର କ୍ଷୋଭପ୍ରକାଶ କରିବାସହ ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!