ଢେଙ୍କାନାଳ ଜିଲ୍ଲାରେ ସମସ୍ତ ସଚେତନତା,କନ୍ୟାରତ୍ନ କରନ୍ତ୍ ଭଳି ଯୋଜନା ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଏବେ ପୁଅ ମାନଙ୍କ ତୁଳନାରେ କନ୍ୟାସନ୍ତାନ ଅଲୋଡା ହୋଇପଡ଼ିଛି । ୧୯୦୧ ମସିହାରେ ଜିଲ୍ଲାରେ କନ୍ୟାସନ୍ତାନ ପ୍ରତି ହଜାର ପୁରଷରେ ୧ହଜାର ୨୦ଥିବା ବେଳେ ୨୦୧୧ ମସିହାରେ ୯୪୭କୁ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ଏହା ୮୬୫କୁ ହ୍ରାସପାଇବା ଉଦବେଗର କାରଣ ହୋଇପଡ଼ିଛି ।
ସରକାରଙ୍କ ବେଟି ବଚାଓ ଆନ୍ଦୋଳନ,କନ୍ୟାଭୃଣ ହତ୍ୟା ଯୋଜନା ସଫଳତା ବିଫଳ ହୋଇଥିବା ବେଳେ କନ୍ୟାରତ୍ନ ଅଲୋଡା ହୋଇପଡିଛନ୍ତି । ଜିଲ୍ଲାରେ ୨୦୧୧ ଜନ ଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୬ ଲକ୍ଷ ୧୨ହଜାର ୫୯୭ ହୋଇଥିବା ବେଳେ ମହିଳା ମାନଙ୍କ ସଂଖ୍ୟା ୫ଲକ୍ଷ ୮୦ ହଜାର ୩୫୧ ବୋଲି ପରିସଂଖ୍ୟାନରୁ ଜଣାପଡିଛି । ଜିଲ୍ଲାରେ ପ୍ରତି ବର୍ଗ କିମିରେ ୨୬୮ ଜଣ ବସବାସ କରୁଥିବା ବେଳେ ପୁରୁଷ ସାକ୍ଷରତା ହାର ୮୭ ପ୍ରତିଶତ ରହିଥିବା ବେଳେ ମହିଳା ମାନଙ୍କ ସାକ୍ଷରତା ହାର ୭୧ ପ୍ରତିଶତ ରହିଛି । ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲାର ବିକାଶ କରିଥିବା ବେଳେ ନାରୀ ଶିକ୍ଷା କ୍ଷେତ୍ରରେ ସେଭଳି ବିକାଶ ହୋଇପାରିନାହିଁ ।
ଜିଲ୍ଲାରେ କନ୍ୟା ସନ୍ତାନ କ୍ରମାଗତ ଭାବରେ ହ୍ରାସ ପାଉଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ୧୯୦୧ ମସିହାରେଜିଲ୍ଲାରେ ପ୍ରତି ହଜାର ପୁରୁଷରେ ୧ହଜାର ୨୦ମହିଳା ରହିଥିଲେ ।୧୯୧୧ରେ ଏହା ଵୃଦ୍ଧି ପାଇ ୧୦୩୫ ଛୁଇଁଥିବା ବେଳେ୧୯୨୧ ମସିହାରେ ସର୍ବାଧିକ ୧ହଜାର ୭୧ ମହିଳା ରହିଥିବାର ଜଣାପଡ଼ିଛିି ।୧୯୩୧ ମସିହାଠାରୁ କନ୍ୟା ସନ୍ତାନ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୧୯୩୧ରେ ୧ ହଜାର ୫୩,୧୯୪୧ରେ ୧ହଜାର ୩୦,୧୯୫୧ରେ ୧ହଜାର ୨୯,୧୯୬୧ରେ ୧ହଜାର ୧କୁ ସଂଖ୍ୟା ହ୍ରାସପାଇଥିଲା ।
ଜିଲ୍ଲାରେ ୧୯୭୧ ମସିହାଠାରୁ ମହିଳାଙ୍କ ସଂଖ୍ୟା ହ୍ରାସପାଇବାରେ ଲାଗିଛି । ୧୯୭୧ରେ ୯୮୦ ଥିବାବେଳେ ୧୯୮୧ରେ୯୬୭,୧୯୯୧ରେ ୯୫୪,୨୦୦୧ରେ ଵୃଦ୍ଧିପାଇ ୯୬୧ରେ ପହଞ୍ଚିଥିଲା । କିନ୍ତୁ ୨୦୧୧ ଜନଗଣନା ବେଳକୁ ଏମାନଙ୍କ ସଂଖ୍ୟା ପୁନଶ୍ଚ ୯୪୭କୁ ହ୍ରାସ ପାଇଥିବାବେଳେ ସଦ୍ୟ ପ୍ରକାଶିତ ଏକ ସର୍ଭେରୁ ଜିଲ୍ଲାରେ କନ୍ୟା ସନ୍ତାନଙ୍କ ସଂଖ୍ୟା ୮୬୫କୁ ଖସିଥିବାର ଜଣାପଡ଼ିଛି ।ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ସଂଖ୍ୟା ହ୍ରାସପାଇବା ଉଦବେଗ ଜନକ ଅଟେ । ମୁଖ୍ୟତଃ ଦାରିଦ୍ରତା,ପୁତ୍ର ସନ୍ତାନ ପାଇଁ ଆଶା,ଅନ୍ଧ ବିଶ୍ୱାସ ଯୋଗୁ କନ୍ୟା ସନ୍ତାନ ଓ ମହିଳାଙ୍କ ସଂଖ୍ୟା ହ୍ରାସପାଇଛି । ଆଗାମୀ ଦିନରେ ଏମାନଙ୍କ ସଂଖ୍ୟା ଅଧିକ ହ୍ରାସ ପାଇବାର ଆଶଙ୍କା ରହିଛି । ଜଣାପଡ଼ିଛି ଯେ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୯୧୮ ରହିଥିବା ବେଳେ ଗ୍ରାମାଞ୍ଚଳରେ ୯୫୦ ରହିଛି ।
ସେହିପରି ଏସସି ମାନଙ୍କ କ୍ଷେତ୍ରରେ ପ୍ରତି ହଜାରରେ ମହିଳା ମାନଙ୍କ ସଂଖ୍ୟା ୯୭୧ ରହିଥିବା ବେଳେ ଗ୍ରାମାଞ୍ଚଳରେ ୯୭୨ ଏବଂ ସହରାଞ୍ଚଳରେ ୯୫୮,ଏସଟି ମାନଙ୍କ କ୍ଷେତ୍ରରେ ମୋଟ ୧ହଜାର ୪ ରହିଥିବା ବେଳେ ଗ୍ରାମାଞ୍ଚଳରେ ୧ହଜାର ୩ ଏବଂ ସହରାଞ୍ଚଳରେ ୧
ହଜାର ୧୪ ରହିଥିବାର ଜଣାପଡୁଛି । ଜିଲ୍ଲାରେ ଏସଟି ମାନଙ୍କ କ୍ଷେତ୍ରରେ ମହିଳା ମାନଙ୍କ ହାର ଅଧିକ ରହିଥିବା ବେଳେ କନ୍ୟାସନ୍ତାନ ଏବଂ ମହିଳାମାନଙ୍କ କ୍ଷେତ୍ରରେ ସହରରେ ଅଧିକ ହ୍ରାସ ପାଉଥିବାର ଜଣାପଡ଼ିଛି । ଜିଲ୍ଲାରେ ଘରୋଇ ହସ୍ପିଟାଲରେ ଗୁଡ଼ିକରେ ଖୋଲାଖୋଲି ଉଲଙ୍ଘନ କରି ଲିଙ୍ଗ ନିରୁପଣ କରାଯିବା ସହିତ କନ୍ୟାଭୃଣ ହତ୍ୟା ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଦାରିଦ୍ରତା ଏବଂ ମହିଳାମାନଙ୍କ ନିରକ୍ଷରତା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ପୁଅ ଲାଳସାରେ ଏଭଳି କରାଯାଉଥିବାର ଜଣାପଡ଼ିଛି ।
ସେହିପରି ପରିବାରର ଚାପ ଏବଂ ବାଧ୍ୟ ବାଧକତାରେ ଏପରି କରାଯାଉଥିବା ବେଳେ କନ୍ୟାଭୃଣ ହତ୍ୟା ଶିକ୍ଷିତ ଏବଂ ଧନୀକ ଗୋଷ୍ଠି ମଧ୍ୟରେ ଅଧିକ ହେଉଛି ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ସରକାରଙ୍କ ତରଫରୁ କନ୍ୟାସନ୍ତାନ ବୃଦ୍ଧି ପାଇଁ ତୃଣମୂଳ ସ୍ତରରୁ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । ସଚେତନତା ଅଭାବ ଏବଂ ପୁତ୍ର ଲାଭ ଯୋଗୁ ଏଭଳି ହେଉଥିବାର ଜଣାପଡ଼ିଛି । ଅଙ୍ଗନୱାଡି ଠାରୁ ଆରମ୍ଭ କରି ବିଦ୍ୟାଳୟ ମହାବିଦ୍ୟାଳୟ ପର୍ଯ୍ୟନ୍ତ୍ ସକରାର ଝିଅ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରୁଥିଲେ ମଧ୍ୟ ଜିଲ୍ଲାରେ କନ୍ୟା ସନ୍ତାନ ହ୍ରାସ ଏକ ଉଦବେଗ ଜନକ ସ୍ଥିତିରେ ରହିଥିବାର ଜଣାପଡିଛି ।