ରାକେଶ ଦୀର୍ଘ ଦିନ ଧରି କପିଳାସ ଏଲିଫ୍ୟାଣ୍ଟ୍ ରେସକ୍ୟୁ ସେଣ୍ଟର ର କ୍ରଲ୍ ଭିତରେ ଆବଦ୍ଧ ହୋଇ ରହିଥିଲା। ଏବେ ସେଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଅସ୍ଥାୟୀ ରହଣୀ ସ୍ଥାନରେ ଛଡାଯାଇଛି ।ଦୀର୍ଘ ଦିନର ବନ୍ଦ ଜୀବନରୁ ଏବେ ତାକୁ କିଛିଟା ଆଶ୍ବସ୍ତି ମିଳିଛି। କପିଳାସ ଚିଡିଆଖାନା ପରିସର ମଧ୍ୟରେ ଥିବା ଏଲିଫ୍ୟାଣ୍ଟ୍ ରେସକ୍ବୁ ସେଣ୍ଟର ମଧ୍ୟରେ ୧୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ବନ୍ୟଯନ୍ତୁ ଙ୍କ ଏକ ଅସ୍ଥାୟୀ ରହଣୀ ସ୍ଥାନ ନିର୍ମାଣ କରାଯାଇଛି। ୧ ହେକ୍ଟର ଜମି ଉପରେ ତାର ବାଡ ଦ୍ବାରା ଆବଦ୍ଧ କରାଯାଇ ଚତୁଃପାର୍ଶ୍ବରେ ଟ୍ରେଞ୍ଚ ଖୋଲାଯାଇଛି। ଯେପରିକି ହାତୀ ଉଗ୍ର ହେଲେବି ସେଠାରୁ ଆସି ଲୋକମାନଙ୍କର କ୍ଷତି କରିପାରିବ ନାହିଁ।
ଏହି ଅସ୍ଥାୟୀ ରହଣୀ ସ୍ଥାନରେ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବାର ମଧ୍ୟ ଯୋଜନା ରହିଛି। ପ୍ରଥମ ଥର ପାଇଁ ହାତୀ ରାକେଶ କୁ ଗୁରୁବାର ନିଆଯାଇ ସେଠାରେ ଛଡାଯାଇଛି। ହାତୀ ବିପନ୍ନ ଅଞ୍ଚଳରେ ଉପଦ୍ରବ କରି ୬ ଜଣ ଲୋକଙ୍କର ପ୍ରାଣହାନୀ କରିଥିଲା। ତାକୁ ନିଶ୍ଚେତକ ଦିଆଯାଇ ଗତ ଜାନୁଆରୀ ୨୨ ତାରିଖ ଠାରୁ ଏଲିଫ୍ୟାଣ୍ଟ୍ ରେସକ୍ବୁ ସେଣ୍ଟର ଶିଙ୍କୁଳିରେ ବନ୍ଧା ହୋଇ ରଖାଯାଇଥିଲା। ଦୀର୍ଘ ଦିନ ଧରି ଲୁହା ଶିଙ୍କୁଳିରେ ବନ୍ଧା ହୋଇ ରହିଥିବାରୁ ତାର ଗୋଡ ଘା’ ହୋଇଯାଇଥିଲା। ଅନେକ ଚିକିତ୍ସା ପରେ କିଛିଟା ସୁସ୍ଥ ଅନୁଭବ କରିଥିଲା। ଅଧିକ ଦିନ ଲୁହା ଶିଙ୍କୁଳିରେ ବନ୍ଧା ରଖିବା ତା ପାଇଁ ବିପଦ ଥିବା ରୁ କପିଳାସ ଏଲିଫ୍ୟାଣ୍ଟ୍ ରେସକ୍ବୁ ସେଣ୍ଟର ମଧ୍ୟରେ ୪ ଲକ୍ଷ ୮୦ହଜାର ଟଙ୍କା ବ୍ୟୟରେ କାଠର ଏକ କ୍ରଲ୍ ନିର୍ମାଣ କରାଯାଇଥିଲା।
ଜୁନ୍ ୧୧ ତାରିଖ ଦିନ ତାକୁ ସେଠାରୁ ସ୍ଥାନାନ୍ତରିତ କରାଯାଇଥିଲା। ବିଭିନ୍ନ ସମୟରେ କାଠ ବାଡକୁ ଭାଙ୍ଗି ବାହାରକୁ ପଳାଇ ଯିବାକୁ ଉଦ୍ୟମ କରୁଥିଲା। ଏବେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଅସ୍ଥାୟୀ ରହଣୀ ସ୍ଥାନରେ ଚଲାବୁଲା କରିବାକୁ ସୁଯୋଗ ମିଳିଲା । ବିଭିନ୍ନ ସମୟରେ ବନ୍ୟଯନ୍ତୁ ମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ଆଣି କୌଣସି ଏକ ସ୍ଥାନରେ ରଖିବାକୁ ଜାଗା ନଥିବା ବେଳେ ଏବେ ସେଠାରେ ଅନ୍ୟ ଉଦ୍ଧାର ପ୍ରାଣୀଙ୍କୁ ମଧ୍ୟ ରଖାଯାଇପାରିବ।
ତେବେ ନୂତନ ଜାଗାରେ ରାକେଶ ର ହାବଭାବ କଣ ରହୁଛି ତାକୁ ଦେଖି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ହାତୀ ସ୍ଥାନାନ୍ତରିତ ହେବା ସମୟରେ ଢେଙ୍କାନାଳ ବନଖଣ୍ଡର ଅଧିକାରୀ ପ୍ରକାଶ ଚାନ୍ଦ ଗୁଗୁନାଇ, ବନ କର୍ମଚାରୀ ମାନେ ଉପସ୍ଥିତ ରହି ହାତୀ ରାକେଶ କୁ ନୂତନ ସ୍ଥାନକୁ ନେବାରେ ସହଯୋଗ କରିଥିଲେ।
