ଢେଙ୍କାନାଳ ଟାଉନ ଥାନାର ଅନ୍ତର୍ଗତ ମୀନା ବଜାର ଗାନ୍ଧୀ ମନ୍ଦିର ରୋଡରେ ଥିବା ଏକ ଦୋକାନରୁ ଜଣେ ଅଜଣା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ସୁନା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗାନ୍ଧୀ ମନ୍ଦିର ରୋଡରେ ଥିବା ଅରବିନ୍ଦ ଦେବସିଂଙ୍କ ଦୋକାନକୁ ଜଣେ ଅଜଣା ବ୍ୟକ୍ତି କଥାବାର୍ତା କରିବା ସହିତ ଏକ ଥଣ୍ଡା ପିଇବା ବାହାନାରେ ପାନୀୟରେ ନିଶା ଦେଇ ଅରବନ୍ଦି ଙ୍କୁ ବେହୋସ କରିଦେବା ପରେ ଦୋକାନରୁ ୧୦ଗ୍ରାମ ୯୪ ମିଲିଗ୍ରାମ ଓଜନର ଦୁଇଟି ସୁନା ଖଣ୍ଡ ଏବଂ ୪ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲା ।
ଏହି ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୫୫୭/୨୩ରେ ଏ୍କ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାର ଛାନଭିନ କରି ପୋଲିସ ଟାଉନ ଥାନା ଅନ୍ତର୍ଗତ ବଡ ପଣ୍ଡାସାହିର ଝରେନ୍ଦ୍ର ବିଶ୍ୱାଳଙ୍କ ପୁଅ ବିକ୍ରମ ବିଶ୍ୱାଳ (୩୮)ଙ୍କୁ ଗିରଫ କରିଥିଲା । ତାକୁ ପଚରା ଉଚରା ପରେ ସେ ସୁନା ବିକ୍ରୀ କରିଥିବା ମୀନା ବଜାର କୁମ୍ଭାର ସାହିର କାଶିନାଥ ମହାପାତ୍ରଙ୍କ ବସନ୍ତ ମହାପାତ୍ରଙ୍କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି । ଏହି ଘଟଣାରେ ପୋଲିସ ସୁନା ସହିତ ନଗଦ ୪ ହଜାର ଟଙ୍କା ଏବଂ ବିକ୍ରମ ବ୍ୟବହାର କରିଥିବା ମୋଟର ସାଇକେଲକୁ ମଧ୍ୟ ଜବତ କରିଛି । ଉଭୟ
ନିଜର ଦୋଷ ସ୍ୱୀକାର କରିଥିବା ବେଳେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଡିଆଯାଇଛି ।