ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା । କାରଣ ବଜ୍ରପାତ ହେଲେ, ତାଳ ଗଛ ଗୁଡିକ ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାଳ ଗଛ ନଷ୍ଟ ହୋଇଯାଉଥିଲା ସତ କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ।
ହେଲେ ସମୟ ଗଡ଼ିବା ସହିତ ତାଳଗଛ ସଂଖ୍ୟା କମିବାରେ ଲାଗିଛି । ଯାହା ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି । ତେବେ ଏଭଳି ବଜ୍ରପାତ ଜନିତ ମୃତ୍ୟୁ ରୁ କିପରି ରକ୍ଷା ପାଇପାରିବେ ଏ ନେଇ ଅଣ୍ଟା ଭିଡ଼ିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ ଶତପଥୀ । ଶୁଭ୍ରାଂଶୁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏନେଇ ସଚେତନତା ସୃଷ୍ଟି କରିବା ସହ ଗ୍ରାମବାସୀଙ୍କ ସହାୟତା ରେ ବିଭିନ୍ନ ଜଙ୍ଗଲ ଏବଂ ଗ୍ରାମ ବାହାରେ କିଛି ତାଳ ଚାରା କିମ୍ବା ମଞ୍ଜି ରୋପଣ କରୁଛନ୍ତି ।
ଚଳିତ ସପ୍ତାହ ଗଁଦିଆ ବ୍ଲକ ଅନ୍ତର୍ଗତ ଯଦୁପୁର , ଚରୁଳେଇ, ଚମଦଳ ,ହରଡ଼ବେଣା, ଡାହି ସାହି ଗ୍ରାମ୍ୟ ଜଙ୍ଗଲ ନିକଟରେ କିଛି ତାଳ ମଞ୍ଜି ରୋପଣ କରିଥିବା ବେଳେ ବିଗତ ଦିନରେ ସାଙ୍କୁଲେଇ , ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଏବଂ ବରୁଣେଇ ଅଞ୍ଚଳରେ ମଞ୍ଜି ରିପୋଣ କରିଥିଲେ । ତାଳ ଗଛ କେବଳ ବଜ୍ରପାତ ନୁହେଁ ହାତୀଙ୍କ ଦାଉରୁ ମଧ୍ୟ ଗ୍ରାମବାସୀ ଙ୍କୁ ରକ୍ଷା କରିବ ବୋଲି ଶୁଭ୍ରାଂଶୁ ଜଣାଇଛନ୍ତି । ଖାଦ୍ୟ ଅଭାଵରୁ ଦିନକୁ ଦିନ ହାତୀ ଗ୍ରାମ ଭିତରୁ ଯାଉଥିବା ବେଳେ ଏହି ତାଳଗଛ ହାତୀଙ୍କୁ ଖାଦ୍ୟ ଅଭାଵ ନିଶ୍ଚିତ ପୂରଣ କରିବ ଯାହା ଫଳରେ ହାତୀ ଆଉ ଜନବସତି ମୁହାଁ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି ।