News
WhatsApp Image 2023-10-04 at 17.25.00
samparksetu

ଦ୍ଵନ୍ଦ ରେ ଚାଷୀ ଭାଇ, କର୍ତ୍ତୃପକ୍ଷ ଙ୍କ ଅବହେଳା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଗତ ଖରିଫ ଋତୁରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଥିଲା । ଏହି ବ୍ଲକର ସିମିନଈ,ଗଦାଶିଳା ଏବଂ ଗୁଣ୍ଡିଚାପଡା ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରୁ ମୁଠାଏ ବି ଫସଲ ମିଳିନାହିଁ । କୃଷି ବିଭାଗ ଏବଂ ସରକାରଙ୍କ ଖାମଖିଆଲ ନିତୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ମରୁଡି ଘୋଷଣା ହୋଇନାହିଁ । ହଜାର ହଜାର ଚାଷୀ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିବା ସହିତ ଫସଲ ବୀମା କରି ପ୍ରୀମିୟମ ଦାଖଲ କରିଥିଲେ ମଧ୍ୟ ବୀମା କମ୍ପାନୀ ପକ୍ଷରୁ ଟଙ୍କାଟିଏ ବି ଫସଲ ହାନୀ ନେଇ ମିଳି ନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ୬ ହଜାର ୧୮୫ ହେକଟର ଉଚ୍ଚ ଜମିରେ ଚାଷ କରାଯାଉଥିବା ବେଳେ ୪୮ ହଜାର ୮୫୩ ହେକ୍ଟର ମଧ୍ୟମ ଜମି,୪୦ ହଜାର ୩୩୬ ହେକ୍ଟର ନିମ୍ନ ଜମିରେ ଧାନ ଚାଷ କରାଯାଇଥାଏ । ଜିଲ୍ଲାରେ କୃଷି ଲୋକ ମାନଙ୍କର ଜୀବନ ଜିବିକା ହୋଇଥିବା ବେଳେ ବର୍ଷା ଅଭାବ ଯୋଗୁଁ ପ୍ରଭାବିତ ହେବା ସହିତ ଦୀର୍ଘ ୫୦ ବର୍ଷ ପରେ ଜମିକୁ ଗହ୍ମା ପୂର୍ଣ୍ଣମି  ଯାଏ ହଳ ଯାଇନଥିଲା । ଚାଷ ଉପରେ ୫୭ ହଜାର ୯୬୨ କ୍ଷୁଦ୍ର ଚାଷୀ,୮୦ ହଜାର ୪୮୭ ମଧ୍ୟବିତ ଚାଷ ଏବଂ ୨୨ ହଜାର ୫୪୧ ବଡ ଚାଷୀ ରହିଥିବାର ଜଣାପଡିଛି ।

ସେହିପରି ମୋଟ ୧ ଲକ୍ଷ ୬୩ ହଜାର ୬୩୬ କୃଷି ଶ୍ରମିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ରହିଥିବା ବେଳେ ୭୧ ହଜାର ୨୩୦ ଚାଷୀ ରହିଛନ୍ତି ,ଏହା ସହିତ ଭାଗଚାଷୀ ମଧ୍ୟ ରହିଛନ୍ତି । ଜିଲ୍ଳାରେ ମୋଟ ୧ ଲକ୍ଷ ୮୫ ହଜାର ୨୧୦ ହେକର୍ଟ ଜମିରେ ଖରିଫ ଚାଷ କରାଯାଇଥିବ। ବେଳେ ୯୦ ହଜାର ୯୮୦ ହେକ୍ଟର ଜମିରେ ଅଧିକ ଅମଳ କ୍ଷମ ଧାନ,୪ ହଜାର ୨୦ ହେକ୍ଟର ଜମିରେ ସାଧାରଣ ଧାନ ଚାଷ କରାଯାଇ ଥିବାର  ଜଣାପଡିଛି ।

ମୋଟ ଚାଷ ଜମି ମଧ୍ୟରୁ ସଦର ବ୍ଲକରେ ୩୦ ହଜାର ୨୭୦ ହେକ୍ଟର,ଓଡାପଡା ବ୍ଲକରେ ୨୧ ହଜାର ୫୨୨ ହେକ୍ଟର, ଗଁଦିଆ
ବ୍ଲକରେ ୨୨ ହଜାର ୯୨୨ ହେକ୍ଟର, ହିନ୍ଦୋଳ ବ୍ଲକରେ ୩୧ ହଜାର ୫୪୪ ହେକ୍ଟର, କାମାକ୍ଷାନଗର ବ୍ଲକରେ ୧୯ ହଜାର ୧୩ ହେକ୍ଟର,ଭୁବନ ବ୍ଲକରେ ୧୯ ହଜାର ୪୯୮ ହେକ୍ଟର,ପରଜଙ୍ଗ ବ୍ଲକରେ ୨୦ ହଜାର ୩୯୫ ହେକ୍ଟର ଏବଂ କଙ୍କଡାହାଡ ବ୍ଲକରେ୧୮ ହଜାର ୬୭୮ ହେକ୍ଟର ଚାଷ ଜମି ରହିଛି ।

ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଥିଲା । ଗତବର୍ଷ ଓଡାପଡା ଏବଂ କାମାକ୍ଷାନଗର ବ୍ଲକରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଥିଲା ଓଡାପଡା ଏବଂ ହିନ୍ଦୋଳ ବ୍ଲକରେ ସ୍ଥିତି ସଙ୍ଗୀନ ହୋଇଥିଲା । ଜିଲ୍ଲାର ଅନେକ ପଞ୍ଚାୟତରେ ବର୍ଷା ଅଭାବରୁ ଧାନ ସମ୍ପୁର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିଲା । ଜିଲ୍ଲାର ହଜାର ହଜାର ଚାଷୀ ବିଭିନ୍ନ ବ୍ୟାଙ୍କ,ସମବାୟ ସମିତି ଜରିଆରେ କୃଷିଋଣ ଆଣି ଧାନ ଚାଷ କରିଥିଲେ ।

ଚାଷୀ ମାନେ ହଜାର ହଜାର ଟଙ୍କା ପ୍ରିମିୟମ ଦେଇ ବ୍ୟାଙ୍କ ଜରିଆରେ ଏବଂ ଗ୍ରାମରେ ଥିବା କୃଷି ସହାୟକ ମାନଙ୍କ ଜରିଆରେ ଫସଲ ବୀମା କରିଥିଲେ । ଏମିତିକି ପ୍ରଧାନମନ୍ତ୍ରୀ ଫସଲ ବୀମା କରି ମରୁଡି କିମ୍ବା ଫସଲ ହାନୀ ଘଟିଲେ ଚାଷୀ ମାନେ ସେମାନଙ୍କର କ୍ଷତିପୂରଣ ପାଇବେ ବୋଲି ଆଶା କରିଥିଲେ । ଓଡାପଡା ବ୍ଳକର ସିମିନଈ ପଞ୍ଚାୟତ ର ପଞ୍ଚୁପତି ,ମୂଳାସିଂହ , ଅଙ୍କରାନ୍ତିପୁର , ସିମିନଇ , ମହେନ୍ଦ୍ରପୁର ଗ୍ରାମରେ ସମ୍ପୂର୍ଣ୍ଣ ଭାବରେ ମରୁଡି ହୋଇଥିବା ବେଳେ ଗଦାଶିଳା ପଞ୍ଚାୟତର ସାଇଁବିରି , ଗଦାଶିଳା  ,ଚାଇଁପୁର  ,ଗୁୂଣ୍ଡିଚାପଡାର ଗୁଣ୍ଡିଚାପଡାର ଚାଷୀ ମାନେ ଧାନ ମୁଠାଏ ବି ଜମିରୁ ଅମଳ କରିପାରି ନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହି ତିନୋଟି ପଞ୍ଚାୟରେ ୩ ହଜାରରୁ ଅଧିକ ଚାଷୀ ରହିଥିବା ବେଳେ, ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ପାଣି ଅଭାବରୁ ସମ୍ପୁର୍ଣ୍ଣ ଭାବରେ ମରୁଡି ହୋଇଥିଲେ ମଧ୍ୟ ସରକାର ମରୁଡି ଘୋଷଣା ନକରିବା ଚାଷୀ ମାନଙ୍କୁ ହତାଶ କରିଛନ୍ତି ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ସବୁକିଛି କରିବାକୁ ଡିଣ୍ଡିମ ପିଟୁଥିବା ବେଳେ ମରୁଡି ଘୋଷଣା ନହେବା ଦୁଃଖ ଏବଂ ପରିତାପର ବିଷୟ । ପଞ୍ଚାତରେ ପଞ୍ଚାୟତ କୃଷି ଅଧିକାରୀ,ବ୍ଲକ କୃଷି ଅଧିକାରୀ ଏବଂ କୃଷକ ସାଥୀ ମାନେ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଏ ନେଇ କୌଣସି ଘୋଷଣା ହୋଇନାହିଁ ।

ହଜାର ହଜାର ଟଙ୍କା ବୀମା କରି ବୀମା କମ୍ପାନୀକୁ ପୋଷା ଯାଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ କୃଷକ ସଙ୍ଗଠନ ଚାଷୀ ମାନଙ୍କ ପାଇଁ ହୋ ହାଲ୍ଲା କରୁଥିବା ବେଳେ ଯେଉଁ ପଞ୍ଚାୟତ ଏବଂ ଗ୍ରାମରେ ମରୁଡି ହୋଇଛି ସେହି ଚାଷୀ ମାନଙ୍କ ପାଇଁ କିଛି କରୁନଥିବାର ଅଭିଯୋଗ ହୋଇଛି । ସରକାରଙ୍କ ତରଫରୁ ତୁରନ୍ତ ତଦନ୍ତ କରି ମରୁଡି ଘୋଷଣା ସହିତ ବୀମା କମ୍ପାନୀ ଗୁଡିକ ଚାଷୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

new life
You might also like
error: Content is protected !!