ଭାବିଛ କି ଥରେ ଷ୍ଟ୍ରିଟ୍ ଲାଇଟ ତଳେ
କେତେ ଦରଫୁଟା ହସ
ଖୋଲା ଆକାଶର ଶୀତୁଆ ଛାତିରେ
ରହିଛି କାହାର ବାସ ।
ପୁତ୍ର ତଡା ଖିଆ ବୋହୁ ନିର୍ଯ୍ୟାତିତା
ପତ୍ରଝଡାଙ୍କର ମେଳି
ଫୁଟ୍ ପାଥ ସେଜ ବେଡ଼ ଲାଇଟ ଜହ୍ନ
ଉଦରେ ଭୋକର କଳି ।
ଚିହ୍ନା ପରିଚିତ ଡ଼ଷ୍ଟବିନ ଖୋଲି
ମେଂଟୁଛି ଅନ୍ତର ଜ୍ୱାଳା
ଶ୍ବାନ ମୁଦ୍ରା ନେଇ ସଙ୍କୁଚିତ ଶୁଆ
ଦେହରେ ଦ୍ରାରିଦ୍ୟ ବୋଳା ।
ତଥାପି ଜୀବନ ସ୍ୱାଭିମାନୀ ତାଙ୍କ
ଭାଗ୍ୟକୁ ଆଦରି ନେଇ
ନାହିଁ କା ଆଦର ନାହିଁ କେ ଆତ୍ମୀୟ
ଯେ ଥିଲେ ଦେହର ଛାଇ ।
ଧିକ ସେ ଆତ୍ମୀୟ ଅବା ସେ ସ୍ୱଜନ
ଗାରିମା ଗାଉଛି ଦାଣ୍ଡେ
ରାସ୍ତା କଡରେ ଆବର୍ଜନା କୋଳେ
ଦେଶ ଭବିଷ୍ୟତ କାନ୍ଦେ ।
କିଏ ଯେ ପାଗଳ ଅବା କେ ଦୁର୍ବଳ
ଶରୀରେ ହାଡର ଭିଡ଼
ଭିନ୍ନ ଏ ଦୁନିଆଁ ଭିନ୍ନ ସେ ମଣିଷ
ଛାତିକୁ କରିଛି ଜଡ ।
କେତେ ଦିନ ଆଉ ଦେଶର ଶରୀରେ
ରହିଥିବ କଳା ଦାଗ
ସବୁ ଗଳି ଛକ ଏ ନଗ୍ର ଆଢୁଆଳେ
କେତେ ବାସହରା ସଙ୍ଘ ।
ଆସ ନାଗରିକେ ଆସ ହେ ଯୁବକ
ଆଦରିବା କିଛି ସେବା
ଭିନ୍ନ ନୁହେଁ ସେ ଯେ ଭିନ୍ନ ମଣିଷ
ତାଙ୍କୁ ଆପଣେଇ ନେବା ।
