ଖାଦ୍ୟ, ବସ୍ତ୍ର ଓ ବାସଗୃହ ଜୀବନଚର୍ଯ୍ଯା ପାଇଁ ଅପରିହାର୍ଯ୍ୟ। କେହି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ତା ପାଇଁ ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣିଥିବା ବେଳେ ଆଶ୍ରୟ ପାଇଁ ଗରିବ ନିଃସହାୟ ମାନଙ୍କ ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏତେ ସବୁ ପରେ ବି ସମାଜର ଏପରି କଛି ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ମନକୁ ବ୍ୟଥିତ କରୁଛି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଛୋଟ ଗାଆଁ ଟିଏ ମହୁଲଖୋଳି। ଏ ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା( ୬୫) ରୁଗୁଣ ଶରୀର। ପରିବାର କହିଲେ ସ୍ତ୍ରୀ ପାର୍ବତୀଙ୍କୁ ମିଶାଇ ଦୁଇ ଜଣ, ଉଭୟ ନିଃସନ୍ତାନ। ବୃଦ୍ଧ ଦମ୍ପତିଙ୍କ ସାହା କହିଲେ କେହି ନାହାଁନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପରିବାରକୁ ମିଳୁଛି ଦଶ କିଲୋଗ୍ରାମ ଚାଉଳ ଓ ଜଣେ ପାଉଛି ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ଶହ। ବାସ ଏତିକିରେ ଦୁଇ ପ୍ରାଣୀ ପେଟ ପୋଷନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଯେଉଁ ଘର ବଖରାଏ ଥିଲା କେବେଠାରୁ ଭାଙ୍ଗି ଯାଇଛି। ସେହି ଭଙ୍ଗା ଘରେ ରୋଷେଇ କରନ୍ତି ଓ ସେହି ଘରେ ବିଶ୍ରାମ।

ଘର ଆସବାବପତ୍ର ଯାହା କିଛି ସ୍ବଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ। ଘରଟିଏ ପାଇଁ ନେତାଙ୍କ ଠାରୁ ସରକାରୀ ବାବୁ ପର୍ଯ୍ୟନ୍ତ ଗୁହାରି କରିଛନ୍ତି ହେଲେ ଘରଟିଏ ପାଇଁ ପାରି ନାହାଁନ୍ତି। ଶରୀର ଆଉ ସାଥ ଦେଉନାହିଁ କି ମୁଣ୍ଡ ଠିକ ରେ କାମ କରୁ ନାହିଁଁ। ତାଙ୍କୁ ଦେଖିଲେ ଲାଗୁଛି ସତେ ଯେପରି ମୃତ୍ୟୁ ଅପେକ୍ଷାରେ।

ଏ ଘଟଣାକୁ ଅନୁଧ୍ୟାନ କଲେ ଲାଗୁଛି ସରକାରୀ ଯୋଜନା ସେହି ଲୋକମାନଙ୍କ ପାଇଁ ଯେଉଁ ମାନେ ନେତା ବା ସରକାରୀ ବାବୁମାନଙ୍କୁ ହାତଗୁଞ୍ଜା ଦେଇ ପାରିବ ନତୁବା ପୂର୍ଣ୍ଣଚନ୍ଦ୍ରଙ୍କ ପରି ଅସହାୟଙ୍କ ପାଇଁ ନୁହେଁ।

