News
WhatsApp Image 2023-10-04 at 17.25.00
samparksetu

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ ସୂଚନା ମଧ୍ୟ ଦେଇଥିଲେ ଯେ ଯଦି ଈମାନ୍ ( ଧର୍ମ ବିଶ୍ବାସ ) ପୃଥିବୀ ପୃଷ୍ଠରୁ ସୁରେୟା ( ସପ୍ତର୍ଷିମଣ୍ଡଳ) କୁ ଉଠିଯାଇଥୁବ ତଥାପି ହଜରତ ମସିହ୍ ମୌଊଦ୍ ( ପ୍ରତିଶ୍ରୁତ ଅବତାର) ତାହାକୁ ଫେରାଇ ଆଣି ଲୋକମାନଙ୍କ ମନ ଓ ହୃଦୟରେ ପୁନଃସଂଚାର କରିବେ ।

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦଙ୍କ ଭବିଷ୍ୟତ ବାଣୀ ଅନୁଯାୟୀ ହଜରତ ମିର୍ଜା ଗୁଲାମ ଅହମଦ୍ କାଦିୟାନୀ ନିଜକୁ ମସିହ ମୌଉଦ୍ ଓ ଇମାମ୍ ମେହଦୀ ଭାବେ ଘୋଷଣା କରିଥିଲେ ଏବଂ ନିଜ ଅନୁଗାମୀ ମାନଙ୍କ ଅନୁରୋଧ ଏବଂ ଅଲ୍ଲାହ୍ (ଈଶ୍ବର)ଙ୍କ ସ୍ବୀକୃତି ପ୍ରାପ୍ତ ପରେ ୨୩ ମାର୍ଚ୍ଚ ୧୮୮୯ ମସିହାରେ ଲୁଧୂଆନା ଠାରେ ଏହି ସମ୍ପ୍ରଦାୟର ଭିତ୍ତି ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଏହାର ନାମ ଅହମଦିୟା ମୁସଲିମ୍ ଜମାତ୍ ରଖାଗଲା। ଉକ୍ତ ସମ୍ପ୍ରଦାୟ ପ୍ରତିଷ୍ଠା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଇସଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା ।

ଏହି ପରିପ୍ରେକ୍ଷୀରେ ଅଙ୍ଗୀକୃତ ମସିହା, ହଜରତ ମିର୍ଜା ଗୁଲାମ ଅହମଦ୍ କହିଛନ୍ତି, “ଯେଉଁ କାର୍ଯ୍ୟ ପାଇଁ ପ୍ରଭୁ ମୋତେ ଆଦେଶ ଦେଇଛନ୍ତି, ତାହା ହେଉଛି ଈଶ୍ବର ଓ ମାନବ ଜାତିର ସମ୍ପର୍କ ମଧ୍ୟରେ ଯେଉଁ ଆବିଳତା ଦେଖାଦେଇଛି ମୁଁ ତାହା ଦୂର କରି ପ୍ରେମ ତଥା ସୁଦ୍ଧତାର ସମ୍ପର୍କ ସ୍ଥାପନ କରିବି ଏବଂ ସତ୍ୟକୁ ପ୍ରକଟ କରି ଧର୍ମୀୟ ଯୁଦ୍ଧ ଓ ସାମ୍ପ୍ରଦାୟିକ ସଂଘର୍ଷକୁ ସମାପ୍ତ କରିବା ସହିତ ସ୍ନେହ ଓ ମୈତ୍ରୀର ଭିତ୍ତି ପ୍ରତିଷ୍ଠା କରିବି” ।

ପୁନଶ୍ଚ ସେ ଉଲ୍ଲେଖ କରନ୍ତି, ” ଆମର ସିଦ୍ଧାନ୍ତ ସମଗ୍ର ମାନବ ଜାତି ପ୍ରତି ସହାନୁଭୂତି । ଯଦି ଜଣେ ପଡ଼ୋଶୀ ସ୍ବଚକ୍ଷୁରେ ଦେଖୁଛି ଯେ ଜଣେ ପାଖ ହିନ୍ଦୁ ଘରେ ନିଆଁ ଲାଗିଛି, ଅଥଚ ତାକୁ ଲିଭାଇବା ପାଇଁ ସେ ଅଣ୍ଟା ଭିଡ଼ି ବାହାରୁ ନାହିଁ, ତାହେଲେ ମୁଁ ସତ କହୁଛି ଯେ ସେହି ବ୍ୟକ୍ତି ମୋର କେହି ନୁହେଁ । ଯଦି ମୋର ଅନୁଗାମୀମାନଙ୍କ ମଧ୍ୟରୁ କେହି ଦେଖୁଛି ଯେ ଜଣେ ଖ୍ରୀଷ୍ଟିୟାନକୁ ହତ୍ୟା କରାଯାଉଛି ମାତ୍ର ସେ ସେହି ହତ୍ୟାକାରୀ ଠାରୁ ଛଡ଼ାଇବା ଉଦ୍ଦେଶ୍ୟ ନେଇ କୌଣସି ସାହାଯ୍ୟ ପାଇଁ ଆଗେଇ ଆସୁନାହିଁ, ତେବେ ଏହା ନିରାଟ ସତ୍ୟ ଯେ ସେହି ବ୍ୟକ୍ତି ଆମ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। “

ମୁଁ ସବୁ ମୁସଲମାନ, ଖ୍ରୀଷ୍ଟିୟାନ ଓ ହିନ୍ଦୁ ଓ ଆର୍ଯ୍ୟ ସମାଜୀଙ୍କ ନିକଟରେ ଘୋଷଣା କରୁଛି ଯେ ଏହି ସଂସାରରେ ମୋର କେହି ଶତ୍ରୁ ନାହାନ୍ତି। ମୁଁ ମାନବ ସମାଜକୁ ଏପରି ପ୍ରେମ କରେ ଯେପରି ସନ୍ତାନକୁ ତାର କରୁଣାମୟୀ ମାତା ବରଂ ତାଠାରୁ ମଧ୍ୟ ଅଧିକ । ମୁଁ କେବଳ ସେହି ମିଥ୍ୟା ମତବାଦର ଶତ୍ରୁ ଯାହା ସତ୍ୟକୁ ବିନାଶ କରେ । ମଣିଷ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ମୋର କର୍ତ୍ତବ୍ୟ। ମିଥ୍ୟା ଅନେକେଶ୍ବରବାଦ, ଅତ୍ୟାଚାର, ତଥା ପ୍ରତ୍ୟେକ ପ୍ରକାରର ଅସଦାଚରଣ ଅନ୍ୟାୟ, ଓ ଦୁଶ୍ଚରିତ୍ର (ଦୁରାଚାର) କର୍ମକୁ ଅସ୍ବୀକାର କରିବା ମୋର ନୀତି।

ନିଜ ଦେଶବାସୀଙ୍କୁ ସମ୍ବୋଧନ କରି ଜମାତ ଅହମଦିୟାର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ୍ କହିଛନ୍ତି, “ପ୍ରିୟ ବନ୍ଧୁଗଣ ! ଚିର କାଳର ଅନୁଭବ ଏବଂ ପରୀକ୍ଷାରୁ ଏହା ସିଦ୍ଧ ହୋଇଛି ଯେ, ମହାପୁରୁଷ ମାନଙ୍କୁ ନିନ୍ଦା କରିବା,ସେମାନଙ୍କ ପ୍ରତି ଅନୁଚିତ ଓ ଅସମ୍ମାନଜନକ କଟୁବାକ୍ୟ କହିବା କିମ୍ବା ଅନ୍ୟ କୌଣସି ପ୍ରକାରର ଅସମ୍ମାନ ଓ ଅନାଦର ପ୍ରଦର୍ଶନ କରିବା ଏପରି ଏକ ବିଷୟ ଯାହା ଶରୀର, ଆତ୍ମା ଓ ମନକୁ ପ୍ରଦୂଷିତ କରିଦିଏ ଏବଂ ସେମାନଙ୍କ ସାଂସାରିକ ଓ ଧାର୍ମିକ ଜୀବନକୁ ନଷ୍ଟ କରିଦିଏ। ସେହି ଦେଶ କଦାପି ଶାନ୍ତିରେ ରହିପାରିବ ନାହିଁ ଯାହାର ଅଧିବାସୀମାନେ ଜଣେ ଅନ୍ୟର ଧାର୍ମିକ ନେତା, ମହାପୁରୁଷ ମାନଙ୍କ ପ୍ରତି କଟାକ୍ଷ ଓ ଆକ୍ଷେପମୂଳକ ମନ୍ତବ୍ୟ ଦେବାରେ ମଗ୍ନ ରହନ୍ତି। ସେହି ଦୁଇ ସମ୍ପ୍ରଦାୟ ମଧ୍ୟରେ କଦାପି ସଦଭାବ ରହିପାରିବ ନାହିଁ।

ଅହମଦିୟା ସମ୍ପ୍ରଦାୟ କୌଣସି ରାଜନୈତିକ ଅଥବା ସାଂସାରିକ ସଂଗଠନ ନୁହେଁ । ବରଂ ଏହା ସମ୍ପୂର୍ଣ୍ଣ ରୂପେ ଏକ ଧାର୍ମିକ ସଙ୍ଗଠନ ଅଟେ। ଏହି ସଙ୍ଗଠନର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦଙ୍କ ପରଲୋକ ପରେ ଏହି ସଂଗଠନରେ ଖୁଲାଫତ୍ ( ଉତ୍ତରାଧିକାର) ପ୍ରଥା ପ୍ରଚଳନ ହୋଇଥିଲା। ବର୍ତ୍ତମାନ ଏହି ସଂସ୍ଥାର ପଞ୍ଚମ ଖଲିଫା (ଉତ୍ତରାଧୂକାରୀ) ହଜରତ୍ ମୀର୍ଜା ମସରୁର୍ ଅହମଦଙ୍କ ତତ୍ତ୍ବାବଧାନରେ ଅହମଦିୟା ଜମାତ ପୃଥୁବୀର ୨୧୪ ଟି ଦେଶ ମାନଙ୍କରେ ବିଶ୍ବ ଶାନ୍ତି ଓ ଭ୍ରାତୃଭାବ ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଅଛି ।
ପ୍ରେମ ସଭିଙ୍କ ପାଇଁ। ଘୃଣା କାହାକୁ ନାହିଁ।

ସର୍ବେ ଭବନ୍ତୁ ସୁଖୀନଃ, ଏହା ହିଁ ଆମର କାମନା ।

✍️ ମୌଲବୀ ଶେଖ୍ ଇସହାକ୍

new life
You might also like
error: Content is protected !!