ମହିମା ଗୋସେଇଁ ହେଉଛନ୍ତି ଏ ଧର୍ମର ଆଦି ପ୍ରବର୍ତ୍ତକ । ମହିମାଧର୍ମ ର ଇତିହାସ ଅନୁଯାୟୀ, ମହିମା ଗୋସେଇଁ ନିଜ ୬୪ ଜଣ ଅନୁଗାମୀ ସିଦ୍ଧ ସନ୍ନ୍ୟାସୀଙ୍କୁ ବକ୍କଳ ଭେକ ପ୍ରଦାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଜ୍ୟାରେ ଧର୍ମ ପ୍ରଚାର ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ସେତେବେଳେ ସ୍ଵୟଂ ମହିମାସ୍ଵାମୀ ଓ ତାଙ୍କ ଶିଷ୍ୟ ମାନଙ୍କ ଦ୍ଵାରା ଓଡିଶାର ବିଭିନ୍ନ ଅଞ୍ଚଳରେ ମହିମା ଟୁଙ୍ଗୀ ବା ଆଶ୍ରମମାନ ପ୍ରତିଷ୍ଠିତ ହୋଇ ଏକ ବ୍ୟାପକ ଅଞ୍ଚଳରେ ମହିମାଧର୍ମର ବାଣୀ ଓ ଦର୍ଶନ ପ୍ରଚାରିତ ହୋଇଛି ।
୧୮୭୫ ମସିହାରେ ଢେଙ୍କାନାଳ ଜିଲ୍ଲାର ମଢି (ବର୍ତ୍ତମାନ କାମାକ୍ଷାନଗର) ଠାରେ ବଡ଼ କୃପାସିନ୍ଧୁ ବାବା ସ୍ଥାପନ କରିଥିଲେ ମହିମା ମନ୍ଦିର ଓ ଆଶ୍ରମ । ଢେଙ୍କାନାଳରୁ କାମାକ୍ଷାନଗର ଗଲେ ଠିକ୍ କାମାକ୍ଷାନଗର ସହରର ପ୍ରବେଶ ମୁଣ୍ଡରେ ଏହି ମହିମାଧର୍ମର ଶୂନ୍ୟ ମନ୍ଦିରଟି ଦଣ୍ଡାୟମାନ । ଏହି ଶୂନ୍ୟ ମନ୍ଦିରକୁ ଲାଗି ରାସ୍ତାର ଅପର ପାର୍ଶ୍ଵରେ ରହିଛି ମହିମା ଆଶ୍ରମ । ଯେଉଁଠି ଅନେକ ମହିମା ସନ୍ନ୍ୟାସୀ ଅବସ୍ଥାନ କରୁଛନ୍ତି ।
ଏହି ଆଶ୍ରମ ପରିସରରେ ବଡ କୃପାସିନ୍ଧୁ ବାବାଙ୍କ ଭେକ ମନ୍ଦିର ରହିଛି । ଏହି ଭେକ ମନ୍ଦିରଟି ୧୮୭୫ ମସିହାରେ ନିର୍ମିତ ହୋଇଥିଲା । ୧୮୭୬ ସାଲ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଯୋରନ୍ଦା ଟୁଙ୍ଗୀରେ ମହିମା ସ୍ଵାମୀ ବ୍ରହ୍ମଲୀନ ହେବା ଗୋଟିଏ ବର୍ଷ ପୂର୍ବରୁ କାମାକ୍ଷାନଗର ମହିମା ଆଶ୍ରମ ଓ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ୧୪୭ ବର୍ଷ ଧରି ଏ ଆଶ୍ରମ ମହାନ ମହିମାଧର୍ମର ବାଣୀ ପ୍ରତାର କରି ବଡ କୃପାସିନ୍ଧୁ ବାବାଙ୍କ ଦିବ୍ୟ ସ୍ମୃତି କୁ ଧାରଣ କରି ଦଣ୍ଡାୟମାନ ରହିଛି । ମହିମା ଧର୍ମାବଲମ୍ବୀ ଙ୍କ ପାଇଁ କାମାକ୍ଷାନଗର ମହିମା ଆଶ୍ରମ ଅନ୍ୟତମ ପବିତ୍ର କ୍ଷେତ୍ର ରୂପେ ପରିଚିତ ।