କରବଲା ଯୁଦ୍ଧ ଏବଂ ସେହି ଘଟଣା ଇସଲାମ ଇତିହାସର ଏକ ତିକ୍ତ ସତ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଥିରେ ଇସଲାମ ଧର୍ମର ସଂସ୍ଥାପକ ହଜରତ୍ ମୁହମ୍ମଦଙ୍କ ନାତି ହଜରତ ଇମାମ ହୁସେନ୍ ନିର୍ଦ୍ଦୟ ଭାବରେ ଶହୀଦ ହୋଇଥିଲେ। ଇତିହାସ ଅନୁଯାୟୀ, ଏହି ଘଟଣାର ମୂଳଦୁଆ ବହୁ ପୂର୍ବରୁ ରଖାଯାଇଥିଲା। କିନ୍ତୁ ୫୬ ହିଜ୍ରିରେ ଅମୀର ମୁଆୱ୍ୟା ତାଙ୍କ ପୁତ୍ର ୟଜିଦଙ୍କୁ (ଯିଏକି ଜଣେ ଦୁଷ୍ଟ ଓ ଅନ୍ୟାୟି ଲୋକ ଥିଲା) ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ, ଯିଏ ତାଙ୍କ ଶାସନରେ ଅନୀତି ଏବଂ ଅନ୍ୟାୟ କରୁଥିଲା। ୬୦ହିଜ୍ରିରେ ଅମୀର ମୁଆୱ୍ୟାଙ୍କ ମୃତ୍ୟୁ ପରେ ଦୁଷ୍ଟ ୟଜିଦ୍ ଇମାମ ହୁସେନ୍ ଏବଂ ଅନ୍ୟ ସାହାବା (ହଜରତ ମୁହମ୍ମଦଙ୍କ ଅନୁଚର) ଏବଂ ଆଲେ ରସୁଲଙ୍କ (ହଜରତ ମୁହମ୍ମଦଙ୍କ ପରିବାରର ସଦସ୍ୟ) ଉପରେ ବୟତନିମନ୍ତେ (ଦିକ୍ଷା-ନେବାକୁ) ଚାପ ପକାଇଥିଲା ।
କାଳକ୍ରମେ ଷଡ଼ଯନ୍ତ୍ର କରି ‘ଇରାକ୍’ ଏବଂ ‘କୁଫା’ର ଲୋକମାନେ ହଜରତ ଇମାମ ହୁସେନଙ୍କୁ ଅନେକ ଚିଠି ଲେଖି ତାଙ୍କୁ ‘କୁଫା’କୁ ଆସିବାକୁ କହିଥିଲେ ଯଦ୍ୱାରା ସେ ତାଙ୍କ ହାତରେ ବୟତ୍ କରି (ଦିକ୍ଷିତ ହୋଇ) ତାଙ୍କୁ ଖଲିଫା ମନୋନୀତ କରିବେ। ୟଜିଦ୍ ଚାହୁଁଥିଲାଯେ ଇମାମ୍ ହୁସେନ୍ ତାକୁ ସମର୍ଥନ କରନ୍ତୁ,କାରଣ ସେ ଜାଣିଥିଲା ଯେ ଯଦି ହୁସେନ୍ ତାଙ୍କ ସହ ଆସନ୍ତି, ତେବେ ସମଗ୍ର ଇସଲାମ ଜଗତ ତା ଅଧୀନରେ ରହିବ। କିନ୍ତୁ ଲକ୍ଷାଧିକ ଚାପ ପରେ ମଧ୍ୟ ହଜରତ ଇମାମ ହୁସେନ୍ ସେହି ଦୁଷ୍ଟର କୌଣସି ସର୍ତ୍ତାବଳୀ ଗ୍ରହଣ କରିବାକୁ ମନା କରିଦେଇଥିଲେ, ତେଣୁ ୟଜିଦ୍ ହୁସେନଙ୍କୁ ଅଟକାଇବାକୁ ଯୋଜନା କରିଥିଲା ।
୪ମଇ ୬୮୦ ଖ୍ରୀଷ୍ଟାବ୍ଦରେ ଇମାମ ହୁସେନ୍ ମଦିନାରେ ଥିବା ନିଜ ଘର ଛାଡି ମକ୍କା ସହରରେ ପହଞ୍ଚିଥିଲେ, ଯେଉଁଠାରେ ସେ ହଜ୍ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ଜାଣିବାକୁ ପାଇଲେ ଯେ ଶତ୍ରୁ (ୟଜିଦର ସୈନିକମାନେ) ହାଜି ଭାବରେ ଛଦ୍ମବେଶ ଧାରଣକରି ତାଙ୍କୁ ହତ୍ୟା କରିପାରନ୍ତି। ହଜରତ ହୁସେନ୍ ଚାହୁଁ ନଥିଲେ ଯେ କାବା ଭଳି ପବିତ୍ର ସ୍ଥାନରେ ରକ୍ତ ପ୍ରବାହିତ ହେଉ, ତେଣୁ ଇମାମ ହୁସେନ୍ ହଜ୍ ର ଉଦ୍ଦେଶ୍ୟ ବଦଳାଇ ‘କୁଫା’ ସହର ଆଡ଼କୁ ଗଲେ। ବାଟରେ ଶତ୍ରୁମାନଙ୍କର ସୈନ୍ୟ ସେମାନଙ୍କୁ ଘେରାଉ କରି କରବଲାକୁ ଆଣିଥିଲେ। କରବଲାର ଯେଉଁ ଜମିରେ ହଜରତ ଇମାମ ହୁସେନ୍ ନିଜର ତମ୍ବୁ ସ୍ଥାପନ କରିଥିଲେ ତାହା ପ୍ରଥମେ ଇମାମ ହୁସେନ୍ କିଣିନେଇଥିଲେ ଏବଂ ତା’ପରେ ସେହି ସ୍ଥାନରେ ତାଙ୍କ ଶିବିର ସ୍ଥାପନ କରିଥିଲେ। ୟଜିଦ୍ ତାଙ୍କ ଅଧିପତିମାନଙ୍କ ମାଧ୍ୟମରେ ଇମାମ ହୁସେନଙ୍କ ଉପରେ ଚାପ ପକାଇବା ଜାରି ରଖିଥିଲା ଯେ ହୁସେନ୍ ତାଙ୍କ କଥା ମାନିବେ,କିନ୍ତୁ ହଜରତ ଇମାମ ହୁସେନ୍ ୟଜିଦର ସର୍ତ୍ତ ଗ୍ରହଣ କରିନଥିଲେ, ପରିଶେଷରେ ଶତ୍ରୁମାନେ ପୋଖରୀ ଉପରେ ମଧ୍ୟ ପହରା ଲଗାଇ ଦେଲେ ଏବଂ ହୁସେନଙ୍କ କ୍ୟାମ୍ପରେ ଜଳ ପ୍ରବେଶ ବନ୍ଦ କରିଦେଲେ। ୟଜିଦର ସୈନ୍ୟବାହିନୀକୁ ଦେଖି କୁଫା ଓ ଇରାକର ଲୋକମାନେ ଯେଉଁମାନେ କି ଇମାମ ହୁସେନଙ୍କୁ ସେମାନଙ୍କ ଖଲିଫା କରିବା ପାଇଁ ଡାକିଥିଲେ ସେମାନେ ମଧ୍ୟ ନିଜ କଥାରୁ ଓହରି ଯାଇଥିଲେ ।
ତିନି ଦିନ ପର୍ଯ୍ୟନ୍ତ ତୃଷାରେ ଛଟପଟ ହେଲାପରେ ଯେତେବେଳେ ହଜରତ ଇମାମଙ୍କ ପରିବାରର ମହିଳା ଓ ପିଲାମାନେ ତୃଷାର ଶିକାର ହେବାକୁ ଲାଗିଲେ, ହଜରତ୍ ହୁସେନ୍ ୟଜିଦର ସୈନ୍ୟବାହିନୀରୁ ପାଣି ମାଗିଲେ, ଶତ୍ରୁମାନେ ଜଳ ଦେବାକୁ ମନା କଲେ, ଶତ୍ରୁମାନେ ଭାବିଲେ ଯେ ଇମାମ ହୁସେନ୍ ଶୋଷରେ ବ୍ୟାକୁଳ ହୋଇ ଆମର ସମସ୍ତ ସର୍ତ୍ତ ଗ୍ରହଣ କରିବେ। ତିନି ଦିନର ତୃଷା ପରେ ମଧ୍ୟ ହଜରତ୍ ହୁସେନ୍ ୟଜିଦର କଥା ଶୁଣିଲେ ନାହିଁ, ଶତ୍ରୁମାନେ ହୁସେନ୍ଙ୍କ କ୍ୟାମ୍ପ ଉପରେ ଆକ୍ରମଣ ଆରମ୍ଭ କଲେ।
ଏହା ପରେ ଇମାମ ହୁସେନ୍ ଶତ୍ରୁମାନଙ୍କୁ ଗୋଟିଏ ରାତିର ସମୟ ମାଗିଥିଲେ ଏବଂ ସେହି ରାତିରେ ଇମାମ ହୁସେନ୍ ଏବଂ ତାଙ୍କ ପରିବାର ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ପ୍ରାର୍ଥନା ଜାରି ରଖିଥିଲେ କି ହେ ଅଲ୍ଲାହ୍ ! ମୋର ପରିବାର, ମୋର ବନ୍ଧୁମାନେ ପଛେ ସହିଦ ହୋଇଯାଆନ୍ତୁ, କିନ୍ତୁ ଆଲ୍ଲାହାଙ୍କର ଦୀନ୍ ଇସଲାମ ବଞ୍ଚିରହୁ ।
୧୦ଅକ୍ଟୋବର ୬୮୦ଖ୍ରୀଷ୍ଟାବ୍ଦରେ ସକାଳର ପ୍ରାର୍ଥନା ସମୟରୁ (ଫଜର ନମାଜ ସମୟରୁ) ଯୁଦ୍ଧ ଆରମ୍ଭ ହୋଇଥିଲା, ଗୋଟିଏ ପଟେ ହଜାର ହଜାର ସୈନ୍ୟ ଅଛନ୍ତି, ଅନ୍ୟ ପଟେ ୭୨ସଦସ୍ୟଙ୍କ ପରିବାର ଏବଂ କିଛି ପୁରୁଷଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା ସୁତରାଂ ଏହାକୁ ଯୁଦ୍ଧ କହିବା ଠିକ୍ ହେବନାହିଁ କିନ୍ତୁ ଐତିହାସିକ ମାନେ ଏହାକୁ ଯୁଦ୍ଧ ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ କି, ଇମାମ ହୁସେନ୍ଙ୍କ ପାଖରେ ମାତ୍ର ୭୫ କିମ୍ବା ୮୦ ପୁରୁଷ ଥିଲେ, ସେମାନଙ୍କ ମଧ୍ୟରେ ୬ ମାସରୁ ୧୩ ବର୍ଷ ବୟସର ପିଲାମାନେ ମଧ୍ୟ ଥିଲେ। ସହିଦମାନଙ୍କ ମଧ୍ୟରେ ଶତ୍ରୁମାନେ ଏକ ଛଅ ମାସର ଶିଶୁ ଅଲି ଅଶଗରଙ୍କ ବେକରେ ଏକ ତ୍ରିକୋଣିୟ ତୀର ମାରିଥିଲେ,୧୩ ବର୍ଷର ବାଳକ ହଜରତ କାସୀମ ଜୀବିତ ଥିବା ସମୟରେ ଘୋଡାର ଖୁରା ଦ୍ୱାରା ଦଳି ଦିଆଯାଇଥିଲା ଏବଂ ସାତ ବର୍ଷର ବାଳକ ଅନ୍-ମୁହମ୍ମଦଙ୍କୁ ଖଣ୍ଡା ଦ୍ୱାରା ମୁଣ୍ଡରେ ଆଘାତକରି ସହିଦ କରିଦେଲେ ।
ଶହୀଦ ଇମାମ ହୁସେନ୍ଙ୍କୁ ଅତି ନିର୍ମମ ଭାବରେ ଶହୀଦ ହେବା ପରେ “ଆଲେ ରସୁଲ “ଏବଂ ତାଙ୍କ ସାଥୀମାନଙ୍କ ଉପରେ ଘଟିଥିବା ଅତ୍ୟାଚାର ବିଷୟରେ ହଜରତ ମିର୍ଜା ମସରୁର ଅହମ୍ମଦ ଇମାମ୍ ଅନ୍ତଃରାଷ୍ଟ୍ରୀୟ ଜମାଅତ ଅହମଦିଆ କହନ୍ତି :- କୁଫିମାନେ(କୁଫା’ନିବାସି) ତମ୍ବୁରେ ଲୁଟିବା ଆରମ୍ଭ କରିଥିଲେ ଏବଂ ମହିଳାଙ୍କ ମୁଣ୍ଡରୁ ଓଢ଼ଣା ଛଡ଼ାଇ ନେଇଥିଲେ, ୟଜିଦର ସାଥୀ ଉମ୍ରୋ ବିନ୍ ସାଦ୍ ଘୋଷଣା କଲା ଯେ ଇମାମ ହୁସେନଙ୍କୁ ତାଙ୍କ ଘୋଡାଗୋଡ ତଳେ କିଏ ପଦଦଳିତ କରିବ ? ଏହା ଶୁଣି ଦଶଜଣ ଅଶ୍ୱାରୋହୀ ବାହାରକୁ ଆସିଲେ, ଯେଉଁମାନେ ଘୋଡା ଦ୍ୱାରା ପୈଗମ୍ବର ହଜରତ ମୁହମ୍ମଦ ସାହିବଙ୍କ ପ୍ରିୟ ନାତିଙ୍କ ମୃତଦେହକୁ ପଦଦଳିତ କରିଥିଲେ (ଏପରିକି ତାଙ୍କ ଛାତି ଏବଂ ପିଠି ଭାଙ୍ଗିଦେଲେ)।ଏହି ଯୁଦ୍ଧରେ ଇମାମ ହୁସେନ୍ଙ୍କ ଶରୀରରେ ୪୫ ଟି ତୀରର କ୍ଷତ ହୋଇଥିଲା। ଅନ୍ୟ ଏକ ବିବୃତ୍ତି ଅନୁଯାୟୀ, ୩୩ କ୍ଷତ ବର୍ଚ୍ଛାରୁ ଏବଂ ୪୩ କ୍ଷତ ଖଡ୍ଗରୁ ଏବଂ ଅନ୍ୟାନ୍ୟ ବାଣ ସେମାନଙ୍କ ବ୍ୟତୀତ ଥିଲା। ଏବଂ ତା’ପରେ ଏହି ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିଲା ଯେ ଇମାମ ହୁସେନ୍ଙ୍କ ମୁଣ୍ଡ କାଟି ତାଙ୍କ ଶରୀରରୁ ଅଲଗା କରାଯାଇଥିଲା ଏବଂ ତହିଁ ଆରଦିନ ଓବେଦୁଲ୍ଲା ବିନ୍ ଜିଆଦ କୁଫା ରାଜ୍ୟପାଳଙ୍କ ନିକଟକୁ ପଠାଗଲା ଏବଂ ରାଜ୍ୟପାଳ କୁଫାରେ ଇମାମ ହୁସେନ୍ଙ୍କ ମୁଣ୍ଡ କାଟିଦେଲେ। ଏହା ପରେ ଜହର ବିନ୍ କୈସଙ୍କ ହାତରେ କଟାମୁଣ୍ଡ ଟିକୁ ୟଜିଦ ନିକଟକୁ ପଠାଗଲା ।
*(ଖୁତବା ଜୁମ୍ମା ୧୦ ଡିସେମ୍ବର ୨୦୧୦)*
ଶହୀଦ ହେବା ପରେ ହଜରତ ଇମାମ ହୁସେନଙ୍କ ଶରୀର ପ୍ରତି ଏହି ଆଚରଣ ହୋଇଥିଲା।ଏହାଠାରୁ ଅଧିକ ନିଷ୍ଠୁର କ’ଣ ହୋଇପାରେ ? ତାଙ୍କ ଶରୀରକୁ ଚୂର୍ଣ୍ଣ କରିଦିଆଗଲା,ଶରୀରରୁ ମୁଣ୍ଡ ଅଲଗା କରିଦିଆଗଲା, ଶବର ଏଭଳି ଅପମାନିତ କୈାଣସି ନିଷ୍ଠୁର ଶତ୍ରୁ ମଧ୍ୟ କୈାଣସି ଶତ୍ରୁର କରିନଥିବ।
ପାଠକଗଣ ! ତା’ପରେ ଦେଖନ୍ତୁ ଅଲ୍ଲାହତାଲା ସେହି ନିଷ୍ଠୁର ଓ ଅତ୍ୟାଚାରୀ ମାନଙ୍କଠାରୁ କେମିତି ଭୟଙ୍କର ପ୍ରତିଶୋଧ ନେଲା। ଏହି ପରିପ୍ରେକ୍ଷୀରେ ହଜରତ ମିର୍ଜା ବଶିରୁଦ୍ଦିନ ମହମୁଦ ଅହମ୍ମଦ ସାହିବ (ଅନ୍ତଃରାଷ୍ଟ୍ରୀୟ ଅହମଦୀୟା ମୁସଲିମ ସମ୍ପ୍ରଦାୟର ଦ୍ୱିତୀୟ ଖଲିଫା) ତାଙ୍କ ପୁସ୍ତକ ‘ଖିଲାଫତ-ଏ-ରାଶେଦା’ରେ ଏକ ଘଟଣା ଉଲ୍ଲେଖ କରିଛନ୍ତି ଯେ ଇତିହାସରେ ଲେଖା ହୋଇଛି ଯେ ୟଜିଦର ମୃତ୍ୟୁ ପରେ ଯେତେବେଳେ ତା’ର (ୟଜିଦ୍ ର) ପୁତ୍ର ସିଂହାସନରେ ବସିଲା, ଯାହାର ନାମ ମଧ୍ୟ ତାଙ୍କ ଦାଦା ଅମୀର ମୁଆୱ୍ୟାଙ୍କ ନାମରେ ନାମିତ ହୋଇଥିଲା । ଲୋକଙ୍କଠାରୁ ବୟତ୍ (ଦିକ୍ଷା) ନେବା ପରେ ସେ ଘରକୁ ଯାଇ ଚାଳିଶ ଦିନ ପର୍ଯ୍ୟନ୍ତ ବାହାରକୁ ବାହାରିଲେ ନାହିଁ । ତା’ପରେ ଦିନେ ସେ ବାହାରକୁ ଆସିଲେ ଏବଂ ଲୋକମାନଙ୍କୁ ସମ୍ବୋଧନ କରି କହିଲେ ଯେ ମୁଁ ନିଜ ହାତରେ ବୟତର ଶପଥ ନେଇଛି, କିନ୍ତୁ ମୁଁ ନିଜକୁ ଯୋଗ୍ୟ ବୋଲି ମନେ କରି ବୟତ ନେଇନାହିଁ ବରଂ ଏଥିଯୋଗୁଁ ବୟତ ନେଲି କାରଣ ମୁଁ ଚାହୁଁଥିଲି ତୁମ ମଧ୍ୟରେ କୌଣସି ମତଭେଦ ନ ହେଉ। ଏବଂ ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ ଘରେ ଚିନ୍ତା କରୁଥିଲି ଯେ ଯଦି ତୁମମାନଙ୍କ ମଧ୍ୟରୁ କେହି ଜଣେ ଲୋକମାନଙ୍କଠାରୁ ବୟତ୍ ନେବାକୁ ସକ୍ଷମ,ତେବେ ମୁଁ ମୋର ପଦବୀ ତାଙ୍କୁ ହସ୍ତାନ୍ତର କରିଦେବି ଏବଂ ମୁଁ ଏହି ଦାୟିତ୍ୱରୁ ମୁକ୍ତି ପାଇବି। କିନ୍ତୁ ବହୁତ ଧ୍ୟାନ ଦେବା ସତ୍ତ୍ୱେ ମୁଁ ତୁମ ମଧ୍ୟରୁ ଏପରି ବ୍ୟକ୍ତିଙ୍କୁ ଦେଖି ପାରିଲିନାହିଁ ସେଥିପାଇଁ ହେ ଲୋକମାନେ !
ଭଲ ଭାବରେ ଶୁଣ ଯେ ମୁଁ ଏହି ପଦବୀର ଯୋଗ୍ୟ ନୁହେଁ ଏବଂ ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ମୋ ବାପା ଏବଂ ମୋ ଜେଜେବାପା ମଧ୍ୟ ଏହି ପଦବୀ ପାଇଁ ଯୋଗ୍ୟ ନଥିଲେ। ମୋ ବାପା ହଜରତ ହୁସେନଙ୍କ ଠାରୁ ହୀନ ଥିଲେ ଏବଂ ମୋ ଜେଜେବାପା ହଜରତ ଅଲୀଙ୍କ ଠାରୁ ସ୍ଥିତିରେ କମ୍ ଥିଲେ ,ହୀନ ଥିଲେ। ହଜରତ ଅଲି ହିଁ ତାଙ୍କ ସମୟରେ ଖିଲାଫତର ଅଧିକାରୀ ଥିଲେ ଏବଂ ତାଙ୍କ ପରେ ହସନ ଏବଂ ହୁସେନ୍ ମୋ ଜେଜେବାପା ଏବଂ ପିତାଙ୍କ ଅପେକ୍ଷା ଖିଲାଫତର ଅଧିକ ଅଧିକାରୀ ଥିଲେ। ସେଥିପାଇଁ ମୁଁ ଏହି ପଦବୀ ପରିତ୍ୟାଗ କରୁଅଛି,ଇସ୍ତଫା ଦେଉଛି।
*(ଅନୱାର୍-ଉଲ୍-ଉଲୁମ୍, ଖଣ୍ଡ ୧୫, ପୃଷ୍ଠା ୫୫୭-୫୫୮)*
ମନ୍ଦ କେତେହେଁ ନିଜ କାୟା ବିସ୍ତାର କରେନା କାହିଁକି, ଏହାର ଫଳ କେବଳ ଖରାପ ହିଁ ହୋଇଥାଏ। ଅଲ୍ଲାହ୍ ତାଲା ପୈଗମ୍ବର ହଜରତ ମୁହମ୍ମଦ ଏବଂ ତାଙ୍କର ଅନୁଚର ଓ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଉପରେ ଅସୀମା ଶାନ୍ତି ବର୍ଷଣ କରନ୍ତୁ ।
✍️ ଅନସାର୍ ଅଲୀ ଖାଁ , ଢେଙ୍କାନାଳ
ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ । ।