News
WhatsApp Image 2023-10-04 at 17.25.00
samparksetu

ବୋଉ , ମା , ମାମ୍ମା

ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ “ମା ର ପରିଭାଷା ଲେଖେ”। 
 
 ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । “ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି”? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ । ମୋତେ ଲାଗିଲା ସେ ଭାବୁଥିବ ମୁଁ ଗୋଟେ ପାଗଳ । ମୁଁ ଲେଖିବା ଆରମ୍ଭ କଲି :-
   ପ୍ଲଟ ମୋ ପାଖରେ ନ ଥିଲା ଯେ ମୁଁ କାହା ବିଷୟରେ ଆଉ କଣ ପାଇଁ ଲେଖିବି ? ଏବଂ ସେମାନେ କହିଲେ ‘ମା’ ବିଷୟରେ !!! ମା ଗୋଟେ ବିଷୟ ? ମୁଁ ତ ତାକୁ ଚିନ୍ହିନାହିଁ ! ପ୍ରଥମେ ଲେଖିଲି , ‘ମା ଗୋଟେ ସରଳ ଶବ୍ଦ’ । 
   
ଗୋଟିଏ ଧାଡି ଲେଖା ସେ କାଗଜଟି ଧରି ମୁଁ ବାହାରିଆସିଲି ଖୋଜିବାକୁ ‘ମା’ , ଗୋଟିଏ ପ୍ଲଟ ଆଉ କିଛି ସାକ୍ଷୀ । 
   ମୋତେ ତାଜୁବ୍ ହେଲା ଯେ ମୋ ମା’ ବାହାରେ ଠିଆ ହୋଇଥିଲା । ତା ପୋଷାକ ପରିଧାନ ଓ ସାଜସଜ୍ଜା ଉପରେ ଲେଖିବାକୁ ମୋତେ ଇଛା ହେଲାନି । କଣ ଲେଖିବି ଯେ ? ତା ଡ଼ର୍ଜନ ଡ଼ର୍ଜନ ଦାମୀ କିମ୍ବା ଶସ୍ତା-କସ୍ତା ରଫୁ ମରା ଶାଢ଼ୀ ? ସେ ନାଇଟୀ ବି ପିନ୍ଧେ,ସ୍କଟ୍,ବୁର୍ଖା ଆଉ ବିକିନୀ ମଧ୍ୟ ! ତା ହୀରା ହାର ! ଏମିତିକି ତା ବେକରେ ମଙ୍ଗଳସୁତ୍ର ନାଁ ରେ ହଳଦୀ ଖଣ୍ଡେ । ତାକୁ ମୁଁ ପଚାରିବାକୁ ଯାଉଛି ତ ସବୁ ଅନ୍ଧାର ହୋଇଗଲା । 
 
ନିଜକୁ ଆବିଷ୍କାର କଲି ଏକ ଗହୀର,ଉଷ୍ମ ଗର୍ଭ ଭିତରେ । 
   ମୁଁ କହିବି କି ତା ଗର୍ଭ ରେ ଥିଲାବେଳେ କଣ ଅନୁଭବ କରୁଥିଲି ? ନା ! କେମିତି କହିବି ? ଅନୁଭବ ଗୋଟେ ଜରାୟୁରେ ବଢୁଥିବା ଶାବକର ଥାଏ ହୁଏତ, କିନ୍ତୁ ସେ ଭୁଲିଯାଏ ଧୀରେ ଧୀରେ । ଶ୍ରୀକୃଷ୍ଣ କ’ଣ କେବେ ତାଙ୍କ ମା ଗର୍ଭ ଭିତର ଗୁମର କହିଛନ୍ତି କି ? ତୁମେ ମୋ ମା କୁ ପଚାରିପାର ସେ କ’ଣ ଅନୁଭବ କରୁଥିଲେ । ମୋର ତ ମନେପଡୁନି ଗର୍ଭଗୃହ ର ଉଷ୍ମତା କେତେ ! 
  ଦିନେ ମୋ ମା’ କୁ ପଚାରିଲି, ପ୍ରଥମ ସପ୍ତାହରୁ ଜନ୍ମର କାହାଣୀ !
ସେ କହିଲା :-
  “ପ୍ରଥମେ ତାକୁ ଖୁସି ଲାଗିଥିଲା । ଅପୂର୍ବ ଆନନ୍ଦ ଉଲ୍ଲାସର ଚରମ ସୀମା ଯେପରି । କୁମାରୀତ୍ୱ ର ପ୍ରଥମ ଆଶା ସ୍ୱାମୀ ନୁହେଁ ବରଂ ସନ୍ତାନ , କହିଲା । ସିଂହୀର ବଳ ଆସିଯାଇଥିଲା ତା ଦେହ ରେ । ଦିନମଜୁରୀ ପାଇଁ ଧାଇଁ ଯାଉଥିଲା କୋଷେ ବାଟ । ପଖାଳ କିମ୍ବା ଚୁଡା ଦି ମୁଠେ ବି ଚଳିଯାଉଥିଲା । ଆମ୍ବୁଲ ହେଉ କି କଇଁଆ । ତିନି ସପ୍ତାହ ପରେ ସୃଜନ ହୋଇଥିଲା ଗୋଟେ ରାକ୍ଷସ/ରାକ୍ଷଶୁଣି , ସବୁ ଖାଦ୍ୟ ସେ ଶୋଷି ନେଉଥିଲା । ସ୍ୱାମୀ ମଦ୍ୟପ , ଶାଶୁ ବାଲୁଙ୍ଗି , ଦିଅର ହେଉ କି ପରକୀୟା ପ୍ରୀତିର ଧର୍ମଛଡ଼ା ସେ ସୁଆଙ୍ଗିଆ ଟୋକା । ସବୁ ଥିଲେ ଗୋଟେ ଗୋଟେ ଛଞ୍ଚାଣ । ଆଉ ମୁଁ ଥିଲି ତା ପାଶୁପତ ଅସ୍ତ୍ର । ତଥାପି ସେ ଖୁବ କାନ୍ଦିଥିଲା ଯେବେ କାହା ଗୋଇଠା ମାଡ଼ କିମ୍ବା ଅପପୃଷ୍ଟି ରେ ମରିଯାଇଥିଲି ମୁଁ । ତିଳେ ହେଲେ କ୍ଷୋଭ ନ ଥିଲା ତା ହୃଦୟ କି ଲୋତକରେ ଯେବେ ସେ ମୋତେ ଫିଙ୍ଗିଦେଇଥିଲା ଡ଼ଷ୍ଟବିନ ରେ କି ନଇପଠାର ଡାହାଳ କୁକୁରଙ୍କ ତୀକ୍ଷ୍ଣ ଦାନ୍ତ ମୂଳେ । ତା ପାଇଁ କୁମାରୀତ୍ବ ସର୍ବୋପରି ହୋଇଗଲା । ସେ ଗୋଟେ କନ୍ୟାକୁ ଗୃଣା କଲା , ସମାଜ କୁ ଡ଼ରିଲା , ନିଜ ଉଜ୍ବଳ ଭବିଷ୍ୟତ ଦେଖିପାରିଲା । 
 
ଏବଂ ଆଖିବୁଜି ପକେଇଦେଇଥିଲା ଡର, ମାତୃତ୍ୱ ଓ ମୋ ୬୫୦ ଗ୍ରାମ ଓଜନ ର ଜୀବନ୍ତ ପିଣ୍ଡପାଖରେ, ଯେବେ ପ୍ରଥମ କରି ବାହ୍ୟ ଦୁନିଆରେ ସେ ମୋ ଲାଲ ଅଧର କୁ ଚୁମା ଦେଲା ବେଣ୍ଟିଲେଟର ର ଉଷ୍ମ ଆଲୁଅ ପାଖେ । ସେ ଖୁବ କାନ୍ଦିଥିଲା ମାତୃତ୍ୱର ମମତା ଢାଳି । ସବୁଠୁ ଖୁସି ଥିଲା । କାରଣ ତା ଜରାୟୁ ରୁ ସେ ଶିଖେଇଥିବା ଗୀତ , କାହାଣୀ , ନାଚ କିମ୍ବା ପ୍ରେମକୁ ରୂପାନ୍ତରିତ ପାଇଁ ତା ସନ୍ତାନ ଆସିଯାଇଥିଲା । ସେଠି ଫିକା ପଡୁଥିଲା ତା କୋଟି କୋଟି ସମ୍ପତି ର ମାଲିକାନା , ରାଜ ଉଆସ କିମ୍ବା କିଛି ଦିନ ତଳେ ବାପାଙ୍କ ନୂଆ ଦାମୀ ଗାଡି କିମ୍ବା ଆମ ପ୍ରାଇଭେଟ ଜେଟ୍ । “
 
ତା କେଇସପ୍ତାହ ର କାହାଣୀ ଶୁଣି ମୁଁ ସୋଇପଡିଥିଲି । ଉଠିଲାପରେ ଦେଖେ ତ ମା’ ଗୋଟେ ନୂଆ ସାଇକେଲକୁ ପୂଜା କରୁଛି , ଗତ କାଲି ତ ଝଗଡା ସେ କରିଥିଲା ବାପାଙ୍କ ପାଖେ । ମାତ୍ର କେଇମାସ ରେ ବାଇକଟା ବି ପୁରୁଣା ହେଲାରୁ ମା କିଣିଦେଲା ନୂଆ ମଡେଲ ର କାର । ମୋ ଖୁସି ପାଇଁ କେବେ କେମିତି ସାହୁକାରର ରକ୍ଷିତା ପାଲଟିବାର ବି ମୁ ଦେଖିଛି । ଷଡଯନ୍ତ୍ର କରି ମୋ ଦାଦା କକେଇଙ୍କୁ ବି ବେଦଖଲ କରିଛି । ଏବଂ ଏଇ ପ୍ରତିପତ୍ତି ସମ୍ମାନ ପାଇଁ ସାରା ଦୁନିଆ ସହ ଲଢ଼ିଛି ବି । ବିକ୍ରି କରିଦେଇଛି ସବୁକିଛି ମୋତେ ଉଦ୍ଧାର କରିବାକୁ । 
 
ସେ କହିବା ବନ୍ଦ କରିଦେଲା । ତା ଦେହ ଥରୁଥାଏ ହାଡ଼ଭଙ୍ଗା ଶୀତ ରେ । ମାତ୍ର ୧୨୦୦ ଟଙ୍କା ପାଇଁ ମୋତେ ବିକ୍ରି କରିଦେଲା ପରେ ବି ସେ ଉପାସ , ଦେହ ପାଇଁ ଲୁଗା ଖଣ୍ଡେ କି ମୁଣ୍ଡ ଗୁଞ୍ଜିବାକୁ ଜାଗା ଯୋଗାଡ଼ କରିପାରିଲାନି । ବେଳେବେଳେ ସେ ମୋ ପାଇଁ ଭିକ ମାଗିନିଏ , ମୋ ଅକର୍ମା ଶରୀର କୁ ଜଗିବସେ ବର୍ଷ ବର୍ଷ ଧରି । ବିଧବା ନିଆଶ୍ରି ହୋଇବି ଆମ ପାଞ୍ଚ ସନ୍ତାନ କୁ ସେ କେବେ ବାପା ର ଘୋର ଖାଲିପଣ ଅନୁଭବ କରେଇଦେଇନି । 
 
 ସେ ବୃଦ୍ଧା ହେଲା । ମୁଁ ବିବାହିତ କରିନେଲି ତା ମନପସନ୍ଦର କନ୍ୟାଟିକୁ । ତା ମାତୃତ୍ୱର ଉଜ୍ବଳ କିରଣ ଗୁଡିକ ବିଛେଇହୋଇ ପଡିଲା ମୋ ସନ୍ତାନଗଣ ଉପରେ । ତା ମାତୃତ୍ୱରେ ପୁରୀଉଠିଥିଲା ସାରା ଇଉନିଭର୍ସ । ସେ ନାରୀ ନେତ୍ରୀ ହେଲା , ସେବା କଲା ଅହରାତ୍ର ଆଇ ସି ୟୁ ର ଯନ୍ତାଘରେ । ନ୍ୟାୟ ପାଇଁ ଗଢିଚାଲିଲା ଗୋଟେ ପରେ ଗୋଟେ ନାରୀଶକ୍ତି କେନ୍ଦ୍ର । ତା ସ୍ଲୋଗାନ ରେ କମ୍ପିଉଥିଲା ଫମ୍ପା ପୁରୁଷଙ୍କ ପୁରୁଷତ୍ୱ । ସେ ବିଦେଶ ଗଲା ଶାନ୍ତିଦୂତ ର ବାର୍ତା ନେଇ । 
   ତା ପରେ ସେ ନେଲା ବିଶ୍ରାମ । ତା ସେବା ଶୁଶ୍ରୁଷାରେ ମୋ ଦିନ କଟିଲା । ପଥର ମୂର୍ତି ଭଳି ସେ ହୋଇଗଲା ମୋ ପାଇଁ ଈଶ୍ୱର । ମୋ ପିଲାଦିନର ଜୀବନ୍ତ ପ୍ରତିଛବି ମୁଁ ଦେଖିବାକୁ ପାଇଲି ତା ଅକର୍ମଣ୍ୟ ବୃଦ୍ଧ କ୍ଷୀଣ ଶରୀରରେ । ତା ଥର-ଥର ଅଧରରେ ହାଲକା ଗରମ ସୁପ୍ ଦେଲାବେଳେ ମୋତେ ଅନୁଭବ ହେଉଥିଲା ତା ପ୍ରଥମ ଚୁମ୍ବନ ମୋ ପିଲାଦିନର ଶରୀରରେ ।  
 
କିନ୍ତୁ ଦିନେ ସେ କୈଫିୟତ ମାଗିଲା ସାରା ସମାଜ କୁ , ହସ୍ପିଟାଲର ଶଯ୍ୟାରେ ଅର୍ଧନଗ୍ନ ଦଗ୍ଧ ଦୁର୍ଗନ୍ଧ ଶରୀର ପାଇଁ । ଟ୍ରେନ ଲାଇନ୍ ରୁ ତା ଖଣ୍ଡ ବିଖଣ୍ଡ ଶରୀର ଏକାଠି କଲାବେଳେ ତା ବକ୍ଷ ରୁ ନିର୍ଗତ ମାତୃତ୍ୱ ଖୋଜିଚାଲିଥିଲା ନ୍ୟାୟ ! ଝୁଲନ୍ତା ଅସହାୟ ମା ମୋର ! ଆଉ ମୁଁ, ତା ବେକରେ ଶାବଳ ପକେଇ ମୁକ୍ତି ଦେଇଥିଲି ମୋ ପତ୍ନୀଙ୍କ ଗଳାର କଣ୍ଟାକୁ । ବେଳେବେଳେ ସେ ମୋ ବ୍ୟକ୍ତିତ୍ୱ କୁ ଚ୍ୟାଲେଞ୍ଜ କରେ, ମୋ ପିଲାଛୁଆଙ୍କ ଖାଦ୍ୟ ଓ ସୁଖରେ ଭାଗ ବସାଇ । ତା ପାଗେଳିପଣ ମୋତେ ଅସହ୍ୟ ଲାଗେ । ତା ଗାଉଁଲି ମୂର୍ଖ ଭାଷା ମୁ ବୁଝିପାରେନା , ତା ମଇଳା ପଣତ କାନିରେ ମୋ ମୋଟା ଦରମା ଟଙ୍କାରେ ବହୁଥିବା ଝାଳକୁ ପୋଛିପକାଏ । ଖୋଲିଦେଲି ତା ପାଇଁ ବୃଦ୍ଧଶ୍ରମ । 
 
 କାଗଜଟି ମୋତେ ଲାଗିଲା ପୂର୍ଣ ହେଲାଭଳି । ମୁଁ ଲେଉଟିଲି ଲୋକଟି ପାଖକୁ । ସେ ବସିଥାନ୍ତି ଏକ ଦିବ୍ୟ ସିଂହାସନରେ । ଚନ୍ଦନ କର୍ପୁର ର ମହକରେ ବିମୋହିତ ଲାଗୁଥାଏ ମୋ ସାରା ଭାବନା । ବଢାଇଦେଲି କାଗଜଟି ତାଙ୍କ ହାତକୁ । 
  ସେ ନେଲେ , ମିଶେଇଦେଲେ ଅନ୍ୟ ଏକ କାଗଜରେ । ଗୋଟିଏ ଧାଡିଟିଏ ବି ପାଲଟିଲା ନାହିଁ ଜନ୍ମ ଜନ୍ମର ଜୀବନ ବୃତାନ୍ତ ।
    ସେ ଆଉଗୋଟିଏ କାଗଜ ଧରେଇଦେଇ କହିଲେ ‘ମା ର ପରିଭାଷା ଲେଖ୍’ । 

 ମୁଁ ତାଙ୍କୁ ପୁଣି ଅନେଇଲି , ଯେମିତି ମୋ ଭଳି କୋଟି କୋଟି ଅନେଇରହିଥିଲେ ଏବଂ ପ୍ରତ୍ୟକଙ୍କ ହାତରେ ମା’ ଙ୍କ କାହାଣୀର ବିଡାବିଡା କାଗଜ । ଆଉ ସମସ୍ତଙ୍କ ଲେଖା ମିଶି କେବଳ ଗୋଟିଏ ଧାଡି ପାଲଟି ଯାଉଥିଲା । 
   ମୁଁ ବହାରିଆସିଲି ତୁମମାନଙ୍କ ଶରୀର ନେଇ । ମିଶିଗଲି ପୁଣି ଗୋଟିଏ ସନ୍ତାନ ରୂପେ ମା’ ର ଗର୍ଭରେ । 
               
                               
ହିମାଂଶୁ ଭୂଷଣ ସାହୁ , ଢେଙ୍କାନାଳ

new life
You might also like
error: Content is protected !!