ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା, କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ଶ୍ରୀମୂଳା ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ (୪୨)।
ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀଙ୍କ ଶ୍ୱଶୁର ଧେଡ଼ିଆ ପ୍ରଧାନ ସକାଳୁ ଉଠି ଘରର ମୁଖ୍ୟ ଦ୍ଵାରର ଗ୍ରୀଲ୍ ବାହାରପଟୁ ଦିଆଯାଇଥିବା ଜାଣି ଗ୍ରୀଲ୍ ଖୋଲି ପ୍ରାତଃ ଭ୍ରମଣରେ ଚାଲିଯାଇଥିଲେ । ସକାଳୁ ପ୍ରଭାତୀଙ୍କ ଝିଅ ତାଙ୍କୁ ନ ପାଇ ବ୍ୟସ୍ତ ହେବାରୁ ଘରେ ସମସ୍ତେ ଖୋଜାଖୋଜି ଆରମ୍ଭ କରିଥିଲେ । ଡ୍ରାଇଭର ସାଗର ଦାସ ପହଞ୍ଚି ଗ୍ୟାରେଜ୍ରୁ ଗାଡ଼ି ବାହାର କରିବାକୁ ଚାବି ମାଗିଥିଲେ, ଘରୁ ଗାଡ଼ି ଚାବି ମିଳିନଥିବା ବେଳେ ଗ୍ୟାରେଜ୍ ବାହାରୁ ତାଲା ପଡ଼ିଥିବାରୁ ସନ୍ଦେହ ବଢ଼ିଥିଲା । ଗ୍ୟାରେଜ୍ ତାଲା ଭାଙ୍ଗି ଦେଖିବାରୁ ଗ୍ୟାରେଜ ଭିତରେ ପ୍ରଭାତୀଙ୍କ ମୃତଦେହ ପଡିଥିଲା ।
ତେବେ ଏନେଇ ପ୍ରଭାତୀଙ୍କ ଶ୍ୱଶୁର ପୁଲିସକୁ ଖବର ଦେଇଥିବାରୁ ତୁମୁସିଂହା ଥାନା ଅଧିକାରୀ ମନସ୍ବିନୀ ମହାନ୍ତି ଓ ପଣ୍ଡୁଆ ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେପରେ ଢେଙ୍କାନାଳରୁ ସାଇଣ୍ଟିଫିକ୍ ଟିମ୍ ଓ ଅପରାହ୍ନରେ ଏସ୍ପି ଅଭିନବ ସୋନକର ମଧ୍ୟ ସେଠାରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ଶବ ଜବତ କରି କାମାକ୍ଷାନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ପ୍ରଭାତୀଙ୍କୁ କେହି ତଣ୍ଟିଚିପି ହତ୍ୟା କରିଥିବା ଅନୁମାନ କରାଯାଉଛି ।
