News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍‌ର ଦ୍ୱିତୀୟ ସଂସ୍କରଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ ହେବ । ଆଜି ଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏବଂ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଟାଟା ଷ୍ଟିଲ କପିଳାସ ହାଫ ମାରାଥନ ୨୦୨୫ର ଅଫିସିଆଲ ଟି-ସାର୍ଟକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସହକାରୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ, ଢେଙ୍କାନାଳ ସଦର ଉପ ଜିଲ୍ଲାପାଳ ବିବୁଧ ଗଡନାୟକ, ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସେବା ମୁଖ୍ୟ ଶ୍ରୀ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ଶ୍ରୀ ମୁକୁଲ ବିନାୟକ ଚୌଧୁରୀ ଓ ଏମଜିଏମ ମିନେରାଲ୍‌ସ ଲିମିଟେଡ୍‌ର ଇଡି ଶ୍ରୀ ଗୋପବନ୍ଧୁ ଦାସ ଉପସ୍ଥିତ ଥିଲେ ।

ଏହି ହାଫ ମାରାଥନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କପିଳାସ ଅଂଚଳରେ ହାତୀ ଓ ଜୈବ ବିବିଧତାର ସଂରକ୍ଷଣର ପ୍ରସାର କରି ଏହାକୁ ପର୍ଯ୍ୟଟନ ଓ ରୋଜଗାରର ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମାରାଥନ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବ । ଏଥିରେ ତିନି ପ୍ରକାର ଦୌଡ଼ ରହିଛି: ୧୯ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪-୧୯ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର-କିଶୋରୀଙ୍କ ପାଇଁ ୫ କିମି ଦୌଡ଼ । ହାଫ୍ ମାରାଥନର ପଞ୍ଜୀକରଣ ଆରମ୍ଭ ଘୋଷଣା କରି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ରାଜ୍ୟର ଏକ ପ୍ରସିଦ୍ଧ ସ୍ଥାନ ଢେଙ୍କାନାଳର କପିଳାସ ଅଭୟାରଣ୍ୟର ମନୋରମ ପୃଷ୍ଠଭୂମିରେ ଏହି ଦୌଡ଼ ଅନୁଷ୍ଠିତ ହେବ ଏବଂ ଆମେ ଆଶା କରୁଛୁ ଯେ ଏହା ଦେଶର ଅନ୍ୟତମ ପ୍ରତିଷ୍ଠିତ ହାଫ୍ ମାରାଥନ୍ ହେବ । ଏହାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଆଜିଠାରୁ ଦୌଡ଼କୁଦଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବା ସେ ଘୋଷଣା କରିଛନ୍ତି ।’’
ହାଫ୍ ମାରାଥନର ମହତ୍ୱ ଓ ମୁଖ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି ଯେ, “ବିଶ୍ୱବ୍ୟାପୀ ମାରାଥନ୍ ଏବଂ ଦୂର ଦୌଡ଼କୁ ପ୍ରତିନିଧିତ୍ୱ କରୁଥିବା ମୋନାକୋସ୍ଥିତ ବିଶ୍ୱସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଟାନସ ରେସ୍ ପକ୍ଷରୁ ଏହାକୁ ସାର୍ଟିଫିକେଟ ଦିଆଯାଇଛି । ୨୧ କିଲୋମିଟର, ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ଼ ବର୍ଗର ଶ୍ରେଷ୍ଠ ୩୦ ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।”ଏହି ଦୌଡ଼ ପାଇଁ ବର୍ତ୍ତମାନ ପଞ୍ଜୀକରଣ ଖୋଲା ଅଛି । ଅଂଶଗ୍ରହଣ କାରୀମାନେ www.tatasteelkapilashhalfmarathon.com ରେ ୨୦୨୪ ଡିସେମ୍ବର ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ । ୪,୦୦୦ ଅଂଶଗ୍ରହଣ କାରୀଙ୍କ ପାଇଁ ସୀମିତ ସ୍ଲଟ୍ ରଖାଯାଇଛି । ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁଳ୍କ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ଟଙ୍କା ରହିଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ଗୁଡି ବ୍ୟାଗ୍ ମିଳିବ, ଯେଉଁଥିରେ ଟି-ସାର୍ଟ, ବିଆଇବି ଚିପ୍ ଏବଂ ଜଳଖିଆ କୁପନ ରହିବ ।ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ୨୦୨୫ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ୨୧କିଲୋମିଟର ଦୌଡ଼ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ ।

new life
You might also like
error: Content is protected !!